ଭୁବନେଶ୍ବର: ସରିଲା ନିର୍ବାଚନ । ଏବେ ମହଙ୍ଗା ମାଡ଼ । ସବୁ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ । ଚାଉଳ, ଡାଲି, ତେଲ ସବୁର ଦାମ ହୁ ହୁ ବଢୁଛି । ଆଳୁ ପିଆଜ କଥା ନ କହିଲେ ଭଲ । ପିଆଜ ଉତ୍ପାଦନ ପର୍ଯ୍ୟାପ୍ତ ଥାଇ ବି ଦର ସ୍ଥାନୀୟ ବଜାରରେ ୪୦ ଟଙ୍କା ଛୁଇଁଲାଣି । ପିଆଜକୁ କର୍ପୋରେଟ୍ ସଂସ୍ଥା ହୋର୍ଡିଂ କରି କୃତ୍ରିମ ଅଭାବ ସୃଷ୍ଟି କରୁଥିବାରୁ ପିଆଜ ଦାମ ବଢୁଥିବା କହିଛି ବ୍ୟବସାୟୀ ମହାସଂଘ । ସେପଟେ କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତିକୁ ଦାୟୀ କରିଛନ୍ତି ରାଜନେତା ଓ ବ୍ୟବସାୟୀ ।

ଖରା ତାତିକୁ ବଳିଗଲାଣି ବଜାର ତାତି । ନିର୍ବାଚନ ପରେ ହୁ ହୁ ହୋଇ ବଢିଚାଲିଛି ଖାଦ୍ୟ ସାମଗ୍ରୀ ଦର । ଲଗାମ ଛଡ଼ା ବଜାର । ବେହାଲ ଖାଉଟି । କିନ୍ତୁ କେହି ଉଁ କି ଚୁଁ ପଦେ କହୁନାହାନ୍ତି । ବାସ୍ ଦୋକାନ ଗଲେ ଖାଉଟି କାନ ମୁଣ୍ଡା ଆଉଁସି ଗଣୁଛନ୍ତି ଚଢ଼ା ଦର । ଆଳୁ କିଲେ ୩୦କୁ ପିଆଜ କିଲୋ ୪୦ । ପ୍ରତ୍ୟେକ ପ୍ରକାର ଡାଲି ଦରରେ ୨୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ସୋରିଷ ତେଲ ଓ ପାମୋଲିନ୍ ତେଲ ଦର ମଧ୍ୟ ବଢି ଚାଲିଛି । ଏପରିକି ପାଇକରୀ ବଜାରରେ ଚାଉଳ ଦର ମଧ୍ୟ ୩ ଶହରୁ ୪ ଶହ ଟଙ୍କା ବଢିଛି । କେତେବେଳେ ଉତ୍ପାଦନ କମ୍ ତ କେତେବେଳେ କର୍ପୋରେଟ୍ ସଂସ୍ଥାଙ୍କ ମନମାନି । ନିର୍ବାଚନ ପ୍ରକ୍ରିୟାର ଘୋ ଘା ଭିତରେ ବଜାର ଉପରେ ଯେପରି କାହାରି ନିଘା ନାହିଁ । ଖୋଦ ବ୍ୟବସାୟୀ ମହାସଂଘ କହିବା କଥା ଧାନର ଏମ୍ଏପି ବୃଦ୍ଧି ନେଇ ଏଥରକ ନିର୍ବାଚନ ପ୍ରସଙ୍ଗ ହୋଇଥିଲା । ଗାଁ ଗହଳିରେ ଲୋକେ ଚାଷ ଉପରେ ଆଉ ସେତେଟା ମନ ଦେଉନାହାନ୍ତି । ଫଳରେ ଚାହିଦା ତୁଳନାରେ ଉତ୍ପାଦନ କମ୍ ହେଉଛି । ସେପଟେ ମନଇଚ୍ଛା କର୍ପୋରେଟ୍ ସଂସ୍ଥା ହୋର୍ଡ଼ିଂ କରି ବଜାରରେ ନାହିଁ ନଥିବା କୃତ୍ରିମ ଅଭାବ ସୃଷ୍ଟି କରିଚାଲିଛନ୍ତି । କେନ୍ଦ୍ର ସରକାର ଏସବୁକୁ ଆଖି ବୁଜି ଦେଇଛନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀ ଦର ଦୁଇ ୩ ବର୍ଷ ହେଲାଣି ବଢୁଛି । ଏଥିପ୍ରତି କେହି ବି ଧ୍ୟାନ ଦେଉନାହାନ୍ତି । ନିର୍ବାଚନ ଥିବାରୁ ପେଟ୍ରୋଲ ଓ ଡିଜେଲ ଦାମରେ ୧ ଟଙ୍କାରୁ ୨ ଟଙ୍କା ହ୍ରାସ କରାଗଲା । କିନ୍ତୁ ଏସବୁ ସମୁଦ୍ରକୁ ଶଙ୍ଖେ ଭଳି । ଦରଦାମ ବୃଦ୍ଧି ଯେପରି କେନ୍ଦ୍ର ସରକାରଙ୍କ ପ୍ରସଙ୍ଗ ନୁହେଁ । ଏବର କେନ୍ଦ୍ର ସରକାର ପୁଞ୍ଜିପତିଙ୍କ ସ୍ବାର୍ଥକୁ ଯେପରି ଜଗି ବସିଛନ୍ତି ତାହା ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି । ଆଜି ରିଜର୍ଭ ବ୍ୟାଙ୍କ ବି ରେପୋ ରେଟ୍କୁ ସାଢ଼େ ୬ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ତଥାପି ବଜାର ଦର କମୁନି । ବାସ୍ତବରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଉଭୟ କେନ୍ଦ୍ର ସରକାରଙ୍କ ନୈତିକ ଦାୟିତ୍ବ ନା ନାହିଁ ତାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ ବୋଲି ବିରୋଧୀ କହିଛନ୍ତି ।

ମୌସୁମୀ ପୂର୍ବରୁ ବେଲଗାମ ହେଲାଣି ଦରଦାମ । ସ୍ଥିତି ଏମିତି ହେବାକୁ ବସିଲାଣି ଖାଦ୍ୟ ସାମଗ୍ରୀ ଦର ଚଢ଼ା ରହିବାରୁ ଅନ୍ୟ ସାମଗ୍ରୀ କିଣିବାକୁ ଖାଉଟିଙ୍କ ପାଖରେ ଅର୍ଥ ଅଣ୍ଟୁନି । ଆଗକୁ କ’ଣ ଯେ ସ୍ଥିତି ହେବ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।