ଦୁବାଇ ପରେ ସିଙ୍ଗାପୁର ଯିବେ ୧୧ ଜଣ ଏସଏଚଜି ମହିଳା

1 min read

ଗଞ୍ଜାମ : ଦୁବାଇ ପରେ ଏବେ ସିଙ୍ଗାପୁର ଯିବେ ମିଶନ୍ ଶକ୍ତି ମହିଳା । ମହିଳା ମାନଙ୍କର ଉତ୍ପାଦିତ ସାମଗ୍ରୀ ବିଶ୍ବ ଦରବାରରେ ଉପଲବ୍ଧ ହେବ । ଏ ନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲାରୁ ସିଙ୍ଗାପୁର ଯିବାକୁ ଥିବା ଜଣେ ମିଶନ୍ ଶକ୍ତିର ମା’ ଓ ତିନି ଜଣ ଅଙ୍ଗନବାଡି କର୍ମୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲା ମିଶନ୍ ଶକ୍ତି, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘର ସଂପାଦିକା ଶୈଳବାଳା ରଥ ସିଙ୍ଗାପୁର ଯିବାକୁ ମନୋନୀତ ହୋଇଛନ୍ତି ।

ସେହିଭଳି ରଙ୍ଗେଇଲୁଣ୍ଡା ବ୍ଲକର ଅଙ୍ଗନବାଡି କର୍ମୀ ସୁନୀତା କୁମାରୀ ସାହୁ, ଶେରଗଡ ବ୍ଲକର ଅଙ୍ଗନବାଡି କର୍ମୀ କୁନି ସ୍ବାଇଁ ଏବଂ ପୁଷ୍ପାଞ୍ଜଳୀ ପ୍ରଧାନ ସିଙ୍ଗାପୁର ଗସ୍ତ କରିବା ପାଇଁ ମନୋନୀତ ହୋଇଛନ୍ତି । ମିଶନ୍ ଶକ୍ତି ମା’ ମାନଙ୍କର ଉତ୍ପାଦିତ ଉନ୍ନତ ମାନର ସାମଗ୍ରୀ ଆନ୍ତର୍ଜାତୀୟ ବଜାରରେ କିଭଳି ବିକ୍ରି ହୋଇପାରିବ । ଏବଂ ସିଙ୍ଗାପୁରରେ କେଉଁ କେଉଁ ସାମଗ୍ରୀ ଉତ୍ପାଦିତ ହୋଇ କିଭଳି ପ୍ୟାକିଂ କରି ଆନ୍ତର୍ଜାତୀୟ ବଜାରକୁ ଛଡାଯାଇପାରିବ ସେନେଇ ମିଶନଶକ୍ତି ମହିଳା ଜ୍ଞାନ ଆହରଣ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଓଡିଶାରୁ ସିଙ୍ଗାପୁର ବିମାନ ଯାତ୍ରା ଆସନ୍ତା ଜୁନ୍ ୩ ତାରିଖ ଦିନ ଶୁଭାରମ୍ଭ ହେବ ।

ବରଗଡ଼ ଜିଲ୍ଲାସ୍ତରୀୟ ମହିଳା ମହାସଙ୍ଘର ସଭାନେତ୍ରୀ ଝରଣା ଦାଶ ମଧ୍ୟ ସିଙ୍ଗାପୁର ଯିବେ । ମହିଳା ସଶକ୍ତିକରଣ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିଆରା ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସ୍ବାଗତ କରିଛନ୍ତି ବରଗଡ ଜିଲ୍ଲାର ଶହଶହ SHG ମହିଳା । ବରଗଡ ମିଶନ ଶକ୍ତି ଭବନଠାରେ SHG ମହିଳାଙ୍କ ଦ୍ୱାରା ଆୟୋଜିତ ବୈଠକରେ ଜିଲ୍ଲାର SHG ମହିଳାଙ୍କୁ ବିଦେଶ ଗସ୍ତ କରିବାର ସୁଯୋଗ ଦେଇଥିବାରୁ ମହିଳାମାନେ ଖୁସି ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ନିଜର ଉତ୍ପାଦିତ ସାମଗ୍ରୀ ତଥା ଦ୍ରବ୍ୟକୁ ଅନ୍ତର୍ଜାତୀୟ ବଜାରକୁ କିପରି ପହଞ୍ଚାଇ ପାରିବେ । ଏହା ସହ ଅନ୍ତର୍ଜାତୀୟ ବଜାର ତଥା ଉଦ୍ୟୋଗ ବିଷୟରେ ବିଭିନ୍ନ ଜ୍ଞାନ ଆହରଣ କରିବେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ରହିଥିବା କହିଛନ୍ତି ବରଗଡ଼ ଡିଏସଡବ୍ଲୁ ।