ଚୀନର ଋଣ ଜାଲ, ଦେବାଳିଆ ହେଉଛନ୍ତି ରାଷ୍ଟ୍ର

ବେଜିଂ: ପ୍ରଥମେ ଋଣ ଦେଇ ଦେବାଳିଆ କରୁଛି। ପରେ ଋଣ ସୁଝିବା ପାଇଁ ମଧ୍ୟ ଋଣ ଦେଉଛି ଚୀନ୍। ସାରା ବିଶ୍ବରେ ଥିବା ଛୋଟ ଛୋଟ ଦେଶ ଗୁଡିକୁ ଋଣ ଦେଇ ଦେବାଳିଆ କରିବାରେ ଲାଗିଛି ଚୀନ୍। ଋଣ ଶୁଝିନପାରିଲେ ସେଠାକାର ପ୍ରାକୃତିକ ସମ୍ପଦ ଉପରେ କବଜା କରୁଛି ଚୀନ୍ ।

ଆମେରିକା ସାରା ବିଶ୍ବରେ ଅଧିକ ଋଣ ଦେଉଥିବା ଦେଶ ଭିତରେ ଥିବା ବେଳେ ଚୀନ ଆମେରିକାକୁ ଟପିବାକୁ ବସିଲାଣି । ଅଳ୍ପ ରୋଜଗାର ଥିବା ଦେଶ ଗୁଡିକୁ ଟାର୍ଗେଟ କରୁଛି ଚାଇନା । ସେମାନଙ୍କ ସ୍ଥିତି ସୁଧାରିବା ନାଁରେ ଋଣ ଜାଲ ବିଛାଇ ସେହି ଦେଶଗୁଡିକୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ଆମେରିକାର ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଛୋଟ ଛୋଟ ଦେଶ ଆଇଏମଏଫରୁ ଋଣ ନନେଇ ଚୀନଠୁ ନେବାକୁ ପସନ୍ଦ କରୁଛନ୍ତି । ଯେତେ ମାଗୁଛନ୍ତି ସେତିକି ଦେବାକୁ ଚୀନ ସରକାର ରାଜି ହେଉଛନ୍ତି । ସେମାନେ ଋଣ ସୁଝି ନପାରିଲେ ଦେବାଳିଆ ସ୍ଥିତିରୁ ଉଦ୍ଧାର ପାଇଁ ପୁଣି ଋଣ ଦେଉଛି ବୋଲି ଆମେରିକା କହିଛି ।

ଆଙ୍ଗୋଲା, ଆର୍ଜେଣ୍ଟିନା, ବେଲାରୁସ, ବୁଲଗେରିଆ, ଇଜିପ୍ଟ, କେନିଆ ଭଳି ଦେଶକୁ ଟାର୍ଗେଟ କରୁଛି ଚୀନ୍ । ଚୀନର ଏଭଳି ଉଦ୍ୟମ ଦ୍ବାରା ସାରା ବିଶ୍ବର ଆର୍ଥିକ ସ୍ଥିତି ଉପରେ ସଙ୍କଟ ସୃଷ୍ଟି ହେଉଛି । ଗତକିଛି ବର୍ଷ ମଧ୍ୟରେ ଚାଇନା ୨୪୦ ବିଲିୟନ ଡଲାର ଅନ୍ୟ ଦେଶକୁ ସହାୟତା କରିଛି । ୨୦୨୧ରେ ଚାଇନା ଯେଉଁ ଦେଶକୁ ୪୦ ବିଲିୟନ ଡଲାର ସହାୟତା କରିଥିଲା, ସେହି ଦେଶଗୁଡିକୁ ୬୮ ବିଲିୟନ ଡଲାର ସହାୟତା କରିଛି ଆଇଏମଏଫ ।