ଗଞ୍ଜେଇ ଜବତ ପରେ ସମ୍ନାକୁ ଆସିଲା ବାଡ଼ ବାବୁଙ୍କ ବଡ଼ କାରନାମା

ଗଜପତି: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଗଞ୍ଜେଇ ଜବତ ହେବା ପରେ ସମ୍ନାକୁ ଆସିଲା କାଜୁ ନିଲାମରେ ହୋଇଥିବା ଅନୀୟମିତତା । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକରେ । କୋର୍ଟକୁ ମିଥ୍ୟା ତଥ୍ୟ ଦେଇ ଫର୍ଜି ନିଲାମ ନାମରେ କୋଟିଏ ଟଙ୍କାର କାଜୁକୁ ୧୪ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ମୋହନା ବିଡିଓ ବଂଶୀଧର ଖୋସଲା, ସପ୍ଲାଏ ଇନିସପେକ୍ଟର ଶଙ୍କର ବେହେରା, ଆଡ଼ବା ଥାନା ଆଇଆଇସି ତପନ କୁମାର ପତି ସବଇନିସପେକ୍ଟର ଆଲୋକ ରଂଜନ ଜଗଦଳା, ଗାଡିମାଲିକ ବି. ମୋହନ ରାଓ ଓ କାଜୁ ବେପାରୀ କେ. ରବି କୁମାରଙ୍କ ନାମରେ ଏତଲା ଦେଇଛନ୍ତି ରା. ଉଦୟଗିରୀ ଏସଡିପିଓ ।
ନିୟମ ଅନୁଯାୟୀ, ବିଜ୍ଞାପନ ଦେବା ପରେ କାଜୁ ନିଲାମ କରିବା କଥା । କିନ୍ତୁ ଅଡ଼ବା ଆଇଆଇସି ଏଭଳି ନକରି ଖୋଲା ଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରି ଗାଡି ମାଲିକର ପୁଅ, ଅଫିସ୍ ଆସିଷ୍ଟାଣ୍ଡ ଏବଂ ଡ୍ରାଇଭରଙ୍କ ନାମରେ ମିଥ୍ୟା ତଥ୍ୟ ଦେଇ ଏକ କୋଟି ଟଙ୍କାର କାଜୁକୁ ୧୪ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ।
ତେବେ ଗତ ୨୪ ତାରିଖରେ ଅଡ଼ବା ପୋଲିସ ପାଟ୍ରୋଲିଂ ସମୟରେ କାଜୁ ବୋଝେଇ ଟ୍ରକକୁ ଧରିବା ପରେ ସେଥିରୁ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ଗଡ଼ି ଡ୍ରାଇଭର ଓ ଅନ୍ୟ ଦୁଇ ଜଣ ଗିରଫ ହୋଇ କୋର୍ଟ ଚାଲାଣ ପରେ କାଜୁ ନିଲାମରେ ହୋଇଥିବା ଅନୀୟମିତତା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ଦାୟିତ୍ୱରେ ଥିବା ଅଧିକାରୀ ଆଲୋକ ରଂଜନ ଜଗଦଳା ଓ ଆଇଆଇସି ତପନ କୁମାର ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଗଜପତି ଏସପି କହିଛନ୍ତି ।