ବିଜେଡି ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଛି ବିଜେପି, ଶଙ୍ଖ ଫୁଙ୍କି ସ୍ୱାଗତ କଲେ ମହିଳା ବିଜେଡି ଗୋଷ୍ଠି

1 min read

ଭୁବନେଶ୍ୱର: ବିଜେପି ବି ଭେଟିବ ମୁଖ୍ୟମନ୍ତ୍ରୀଙ୍କୁ । ବିଜେଡି ସହ ମିଶି ବିଜେପି ଯିବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ । ଗୁରୁବାର ବିଧାନସଭା ଆରମ୍ଭରୁ ମୁଲତବୀ ରହିଥିବା ବେଳେ ତିନି ଦଳ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ଧାନ କିଣା ପ୍ରସଙ୍ଗକୁ ନେଇ ବିଜେପି ନାରା ବାଜି କରିଥିବା ବେଳେ ବିଜେଡି ପକ୍ଷରୁ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ହୋ-ହଲ୍ଲା କରାଯାଇଛି । ସେପଟେ କଂଗ୍ରେସ ବିଧାନସଭା ଅଚଳକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛି ।

ଗୃହରେ ଅଚଳାବସ୍ଥା ଜାରି ରହିଥିବାରୁ ପ୍ରଥମେ ବିଜେଡି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲା । ବିଜେଡି ଦାବି କରିଥିଲା ଯେ, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଉଦ୍ୟମ କରି ଭୁଲ କରିଛନ୍ତି । ଗୃହର ଗାରିମା କ୍ଷୂର୍ଣ୍ଣ ହୋଇଛି । ତେଣୁ ସେ କ୍ଷମା ପ୍ରାର୍ଥନା ନ କରିବା ପାର୍ଯ୍ୟନ୍ତ ଗୃହ ଚଳାଇଦେବୁ ନାହୁଁ ।

ସେପଟେ ଚାଷୀଙ୍କ ପାଇଁ ଚିତ୍କାର କରି ଏବଂ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ହୋ-ହଲ୍ଲା କରିଛି । ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହିଁଛି । ବିଜେପି ସାଧା ସଳଖ ଏକ ରାଲି କରି ନବୀନ ନିବାସ ଅଭିମୁଖେ ଯାଇଛି । ସେଠାରେ ମହିଳା ବିଜେଡି ଗୋଷ୍ଠି ପକ୍ଷରୁ ବିଜେପିକୁ ଶଙ୍ଖ ଫୁଙ୍କି ସ୍ୱାଗତ କରାଯାଇଛି ।

ତେବେ ବିଜେଡି ଲୋକସେବା ଭବନ ଅଭିମୁଖେ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ଆଲୋଚନା କରିବ ବୋଲି ସୂଚାନ ମିଳିଛି । ଅନ୍ୟପଟେ ବିଜେପି ନବୀନ ନିବାସ ଅଭିମୁଖେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚେଷ୍ଟା କରିଛନ୍ତି । ସେପଟେ କଂଗ୍ରେସ ବିଧାୟକମାନେ ଗାନ୍ଧି ପ୍ରତିମୂର୍ତ୍ତି ପାଖରେ ଧାରଣା ଦେଇଛନ୍ତି । ସେମାନେ ସର୍ବଦଳୀୟ ବୈଠକ ଦାବି କରିଛନ୍ତି । ଅନ୍ୟପଟେ ସମସ୍ତ ମନ୍ତ୍ରୀ ଓ ବିଜେଡି ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଲୋକସେବା ଭବନ ଅଭିମୁଖେ ଯାଇଛନ୍ତି । ସେଠାରେ ସେମାନେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଗୃହ ଚାଲି ପାରୁ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଧାନସଭା ସମସ୍ତଙ୍କର । ‘ଦୀର୍ଘଦିନ ଧରି ଗୃହ ଅଚଳ ଯୋଗୁଁ କାହାର ଲାଭ ହେଉନି । ଗୃହ ଚାଲିବା ନେଇ ସହମତି ବାହାରିବା ଦରକାର  ପବିତ୍ର ଗୃହର ମର୍ଯ୍ୟାଦା ରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ’ । ଗୃହରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ଭୁଲ ନୁହେଁ ତ ଆଉ କ’ଣ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।

ଏ ସମ୍ପର୍କରେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ କହିଛନ୍ତି ‘ବିଜେପି ଦୋମୁହାଁ ନୀତି ଧରିଛି । ମିଛରେ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି । ବିଜେପିର ଏଭଳି ଆଚରଣର ଉପଯୁକ୍ତ ଜବାବ ଦେବେ ଓଡ଼ିଶାବାସୀ ।’

Leave a Reply