ମହିଳା ଏସିଆ କପ୍: ସେମିଫାଇନାଲରେ ୭୪ ରନରେ ଥାଇଲାଣ୍ଡକୁ ହରାଇଲା ଭାରତ

1 min read

ନନ୍ଦିଘୋଷ ବ୍ୟୁରୋ: ମହିଳା ଏସିଆ କପ୍ ଟି-୨୦ ଫାଇନାଲରେ ପହଞ୍ଚିଲା ଭାରତୀୟ ମହିଳା ଦଳ । ସେମିଫାଇନାଲ ମ୍ୟାଚରେ ଥାଇଲାଣ୍ଡକୁ ୭୪ ରନ୍ ରେ ହରାଇ ଭାରତୀୟ ମହିଳା କ୍ରିକେଟ ଦଳ ଫାଇନାଲରେ ସ୍ଥାନ ପକ୍କା କରିଛି । ଆଜି ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ୧୪୮ ରନ୍ କରିଥିଲା । ଥାଇଲାଣ୍ଡକୁ ଜିତିବା ପାଇଁ ୨୦ ଓଭରରେ ୧୪୯ ରନ୍ ଲକ୍ଷ୍ୟ ରହିଥିଲା ।

ହେଲେ ଭାରତୀୟ ବୋଲରଙ୍କ ଆଗରେ ଥାଇଲାଣ୍ଡର ବ୍ୟାଟ୍ସମ୍ୟାନମାନେ ଅଧିକ ସମୟ କ୍ରିଜରେ ରହି ପାରିନଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ଦଳ ୭୪ ରନରେ ସୀମିତ ମ୍ୟାଚ୍ ହାରିଯାଇଥିଲା ଥାଇଲାଣ୍ଡ । ଦଳ ପକ୍ଷରୁ ନରୁମୋଲ ଛାଇୱାଇ ସର୍ବାଧିକ ୪୧ ଟି ବଲ୍ ଖେଳି ୨୧ ରନ୍ କରିଥିବା ବେଳେ ନତାୟା ବୁଛାଥାମ ୨୯ ବଲ୍ ଖେଳି ୨୧ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇନଥିଲେ ।

ଭାରତ ପକ୍ଷରୁ ଦୀପ୍ତି ଶର୍ମା ଆଜି ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ୪ ଓଭର ବୋଲିଂ କରି ମାତ୍ର ୭ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ରାଜେଶ୍ୱରୀ ଗାୟକ୍ୱାଡ଼ ୪ ଓଭର ବୋଲିଂ କରି ୧୦ ରନ୍ ବିନିୟମରେ ୨ଟି ୱିକେଟ୍ ହାସଲ କରିଛନ୍ତି । ରେଣୁକା ସିଂ, ସ୍ନେହା ରାଣା ଓ ଶେଫାଳି ବର୍ମା ଗୋଟିଏ ଲେଖାଏଁ ୱିକେଟନ୍ ଅକ୍ତିଆର କରିଛନ୍ତି ।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ ୨୮ ଟି ବଲ୍ ଖେଳି ୪୨ ରନ କରିଥିଲେ । ସେହିପରି ଅଧିନାୟକ ହରମନପ୍ରୀତ କୌର ୩୦ ବଲରେ ୩୬ ରନ୍ ସଂଗ୍ରହ କରିଥିଲେ ଏବଂ ଜେମିମା ରୋଡ୍ରିଗ୍ସ ୨୬ ବଲ୍ ଖେଳି ୨୭ ରନର ଯୋଗଦାନ କରିଥିଲେ ।

ଥାଇଲାଣ୍ଡ ପକ୍ଷରୁ ସୋର୍ଣ୍ଣାରିଣ ଥିପୋଚ ୪ ଓଭରରେ ୨୪ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ । ନଟାୟା ବୁଚାଥମ, ଫାନିତା ମାୟା ଏବଂ ଥିପାଟଚା ଫୁଥାଭୋଙ୍ଗ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।  ମହିଳା ଟି-୨୦ ଏସିଆ କପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜି ମଧ୍ୟାହ୍ନ ୧ ଟା ବେଳେ ଖେଳାଯିବ । ଯିଏ ବି ଏହି ମ୍ୟାଚ ଜିତିବ ସେ ଫାଇନାଲରେ ଭାରତକୁ ଭେଟିବ । ଆସନ୍ତା ୧୫ ତାରିଖରେ ପାଇନାଲ ମ୍ୟାଚ ଆୟୋଜିତ ହେବ ।