ଅମୃତସର ପରେ କପୁରତାଲା, ଧର୍ମୀୟ ଭାବନାକୁ ଆଘାତ ଅଭିଯୋଗରେ ଆଉ ଜଣଙ୍କୁ ପିଟି ପିଟି ହତ୍ୟା

2 min read

ଅମୃତସର: ଧାର୍ମିକ ଅବମାନନାକୁ ନେଇ ପଞ୍ଜାବରେ ଦୁଇ ଦିନରେ ହୋଇଛି ଦୁଇଟି ହତ୍ୟା । ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ଭିତରେ ଗୁରୁ ଗ୍ରନ୍ଥ ସାହିବଙ୍କୁ ଅସମ୍ମାନ ଅଭିଯୋଗରେ ଶନିବାର ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯିବାର ମାତ୍ର କେଇ ଘଣ୍ଟା ପରେ କପୁରତାଲାରେ ଆଉ ଜଣେ ଯୁବକଙ୍କୁ ସମାନ ଅଭିଯୋଗରେ ହତ୍ୟା କରାଯାଇଛି ।

ଶନିବାର ସ୍ୱର୍ଣ୍ଣ ମନ୍ଦିରରେ ଏକ ହତ୍ୟା ପରେ ରବିବାର କପୁରତାଲାରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି । ଧର୍ମୀୟ ଭାବନର ଅବମାନନା କାରଣରୁ କପୁରତାଲା ଜିଲ୍ଲା ନିଜାମପୁରରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି । ଶିଖ୍ ପତାକା ନିସାନ ସାହିବକୁ ଅସମ୍ମାନ ପ୍ରଦର୍ଶନକୁ ନେଇ ଉକ୍ତ ଯୁବକକୁ ହତ୍ୟା କରାଯାଇଛି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଶନିବାର ସ୍ୱର୍ଣ୍ଣ ମନ୍ଦିର ପରିସରରେ ସବୁଦିନ ପରି ପ୍ରାର୍ଥନା ଚାଲିଥିବା ବେଳେ, ଜଣେ ବ୍ୟକ୍ତି ରେଲିଂ ଡେଇଁ ମନ୍ଦିରର ଗର୍ଭଗୃହ ଭିତରକୁ ଚାଲି ଯାଇଥିଲେ । ସେଠାରେ ଗୁରୁ ଗ୍ରନ୍ଥ ସାହିବ ସମ୍ମୁଖରେ ଥିବା ଖଣ୍ଡାକୁ ଟେକି ନେବାକୁ ଉଦ୍ୟମ କରିଥିଲା । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ସେଠାରେ ହିଁ ପିଟିପିଟି ହତ୍ୟା କରିଥିଲେ । ଏହି ହତ୍ୟା ପରେ ମନ୍ଦିରର ସମସ୍ତ ସିସିଟିଭିକୁ ପୋଲିସ ଯାଞ୍ଚ କରିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ଅମୃତସର ଡେପୁଟି ପୋଲିସ କମିଶନର ପରମିନ୍ଦର ସିଂ ଭଣ୍ଡଲ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ।

ପୂର୍ବରୁ ସମାନ ଧରଣର ଏକ ଧାର୍ମିକ ଅବମାନନା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ର ଅମରିନ୍ଦର ସିଂଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ଫଳ ଏହା ହୋଇଥିଲା ଯେ ଅମରିନ୍ଦରଙ୍କୁ ଏଥିଲାଗି ବହୁ ମୂଲ୍ୟ ଦେବାକୁ ପଡିଥିଲା ଏବଂ ଶେଷରେ ସେ ଦଳ ଛାଡିଥିଲେ । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ, ଏହି ହତ୍ୟା ଘଟଣା କଂଗ୍ରେସ ସରକାର ଲାଗି ବେଶ୍ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ ।

Leave a Reply