ସ୍ପା ମାଲିକ ସାବଧାନ ! ଅନୈତିକ କାମ ଚାଲିଥିଲେ, ନାମ ନେବ

ଭୁବନେଶ୍ବର: ରାଜଧାନୀରେ ଥିବା ସ୍ପା ଓ ପାର୍ଲରରେ ହେବ ଚଢ଼ାଉ । ଅନୈତିକ କାମ କରୁଥିଲେ ହୋଇଯାନ୍ତୁ ସାବଧାନ । ସମସ୍ତ ଆଇଆଇସିଙ୍କୁ ରୁଟିନ ଚେକ ପାଇଁ ନିର୍ଦ୍ଦେଶ ଦେଲେ ଡିସିପି । ଦୀପାବଳି ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡ଼ରେ ପୋଲିସ ।

ରାଜଧାନୀରେ ବଦଳୁଛି ଦେହ ବେପାରର ତରିକା । ବଡି ମସାଜ ସାଙ୍ଗକୁ ମିଳୁଛି ସ୍ପେଶାଲ ସର୍ଭିସ । ବଡ଼ଗଡ଼ ଥାନା ଅନ୍ତର୍ଗତ ରବି ଟକିଜ ଛକରେ ଥିବା ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରୁ ଆସିଥିଲା ସାଙ୍ଘାତିକ ଅଭିଯୋଗ । ଚାକିରି ଦେବା ଆଳରେ ଯୁବତୀଙ୍କୁ ଆଣି ଅନୈତିକ କାରବାରରେ ଲିପ୍ତ କରୁଥିଲେ ସ୍ପା ମାଲିକ । ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ଜିନିଷ ମଧ୍ୟ ଉଦ୍ଧାର ହୋଇଥିଲା । ତଦନ୍ତ ପରେ ସ୍ପାର ମାଳିକାଣୀଙ୍କ ସମେତ ଅନ୍ୟ ୨ ଜଣ ଗିରଫ ହୋଇଥିଲେ । ରାଜଧାନୀର ଅନେକ ସ୍ଥାନରେ ଏଭଳି ମସାଜ ପାର୍ଲର ଓ ସ୍ପା ଖୋଲି ଯୁବତୀଙ୍କୁ ଅନୈତିକ କାରବାରରେ ଲିପ୍ତ କରାଉଥିବା ଘଟଣା ସାମ୍ନାକୁ ଆସିବା ପରେ ନିଜ ନିଜ ଥାନା ଅଞ୍ଚଳରେ ଚଢ଼ାଉ କରିବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

କିଛିଦିନ ତଳେ ଠିକ ସମାନ ଷ୍ଟାଇଲରେ ଖାରବେଳନଗର ଏକ ଆୟୁର୍ବେଦିକ ସେଣ୍ଟରରେ ଚଢ଼ାଉ କରି ସେକ୍ସ ରାକେଟ ଠାବ କରିଥିଲା ପୋଲିସ । ଗତ ୬ ବର୍ଷ ଭିତରେ ଏଭଳି ୭୯ଟି ସେକ୍ସ ରାକେଟ ଠାବ କରିଛି ପୋଲିସ । ୨୫୬ ଜଣ ଗରାଖ ଓ ୨୦୯ ଜଣ ରୂପଜିବୀଙ୍କୁ ସର୍ଟ ଷ୍ଟେ ହୋମକୁ ପଠାଯାଇଛି । ଡିଜିପି ୱାଇ.ବି. ଖୁରାନିଆ ଟୁଇନ ସିଟି ପୋଲିସ କମିଶନର ଥିବା ବେଳେ ରାଜଧାନୀରେ ଚାଲିଥିବା ସେକ୍ସ ରାକେଟ ଉପରେ ମାରାଥନ ରେଡ଼ ହୋଇଥିଲା । କୋର୍ଟରେ ଏସବୁ ପ୍ରମାଣିତ ହେବା ପରେ ସଂପୃକ୍ତ ଘରକୁ ବେଶ୍ୟାଳୟ ଘୋଷଣା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ବିଦେଶୀ ଯୁବତୀଙ୍କ ଭିସା ମଧ୍ୟ କଳା ତାଲିକାଭୁକ୍ତ କରିବାକୁ ଗୃହ ବିଭାଗକୁ ଚିଠି ଲେଖିଥିଲା ପୋଲିସ ।

ଆଗକୁ ଦୀପାବଳି ଓ ନୂଆବର୍ଷ । ତେଣୁ ଏଭଳି କାରବାର ଓ ମାନବ ଚାଲାଣ ରୋକିବା ପାଇଁ କମିଶନରେଟ ପୋଲିସ ପୂରା ପ୍ରସ୍ତୁତ ଥିବା କହିଛନ୍ତି ଡିସିପି ।