ଗ୍ରାଇଣ୍ଡର ମଗରେ ଫସିଗଲା ଢ଼ମଣା, ଦୀର୍ଘ ଏକ ଘଣ୍ଟାପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ୍
1 min readଅନୁଗୁଳ: ସଫଳ ହେଲା ଅପରେସନ ଢମଣା । ମିକ୍ସଚର ଗ୍ରାଇଣ୍ଡର ମଗରେ ଫସିଥିବା ଢ଼ମଣା ସାପ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଦୀର୍ଘ ଏକ ଘଣ୍ଟାର ଅପରେସନ ସଫଳ ହୋଇଛି । ସାପଟିର ଲମ୍ବ ହେଉଛି ୫ ଫୁଟ । ଏକ କଟର ମେସିନ ଦ୍ୱାରା ଗ୍ରାଇଣ୍ଡର ମଗକୁ କଟାଯାଇ ସେଥିରୁ ସାପଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସାପ ଦେହରେ ଲାଗିଥିବା ଆଘାତକୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଆଜି ସ୍ଥାନୀୟ ସରକାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯିବ । ଏନେଇ ସ୍ଥାନୀୟ ବନ ବିଭାଗକୁ ଆଗୁଆ ସୂଚନା ମଧ୍ୟ ଦିଆ ସରିଛି । ସାପଟି ସୁସ୍ଥ ହେବା ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦିଆଯିବ । ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବଗଡ଼ିଆ ଗାଁରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଉକ୍ତ ଗାଁର ନିରାକାର ମହାପାତ୍ରଙ୍କ ଘରେ ଖଡ଼ ଖଡ଼ ଶବ୍ଦ ଶୁଣିବାକୁ ମିଳିଲା । ଶବ୍ଦ ମଝିରେ ମଝିରେ ଶୁଣା ଯାଉଥିଲେ ଏବଂ ପୁଣି ବନ୍ଦ ହେଇଯାଉଥିଲା । ନିରାକାର ଟର୍ଚ୍ଚ ଲାଇଟ ଧରି ଦେଖିବା ପରେ ଜାଣିଥିଲେ ଅଗଣାରେ ଏକ ପରିତ୍ୟକ୍ତ ମିକ୍ସଚର-ଗ୍ରାଇଣ୍ଡର ମଗରେ ଏକ ବଡ଼ ସାପ ଫସି ଯାଇଛି । ତେବେ ଭୟଭୀତ ହୋଇ ନିରାକାର ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ସାପ ଢ଼ମଣା ସାପ ବୋଲି ଚିହ୍ନଟ କରିଥିଲେ । ସାପ ଫସିଯିବା ଫଳରେ ତାର ପେଟ ପାଖରେ ଚମଡା ଏବଂ ମାଂସ କଟିଥିବା ଦେଖିଥିଲେ ।
ସାପକୁ କିପରି ବାହର କରାଯିବ ସ୍ନେକ ହେଲ୍ପ ଲାଇନ ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ପରାମର୍ଶ କରି ତାଙ୍କୁ ସାପ ର ଭିଡ଼ିଓ ପଠେଇଥିଲେ । ଷ୍ଟିଲ ପାତ୍ର ଟିକୁ ଯତ୍ନରେ କାଟି ବାହାର କରିବା, ଏବଂ ସାପ ଦେହରେ ଥିବା କ୍ଷତ ସ୍ଥାନକୁ ବ୍ୟାଣ୍ଡେଜ କରି ଜୀବାଣୁ ସଂକ୍ରମଣ ରୋକିବା ପାଇଁ ବେଟାଡିନ୍ ଲଗେଇବା ପାଇଁ ଶୁଭେନ୍ଦୁ ପରାମର୍ଶ ଦେଇଥିଲେ । ଏହାପରେ ସାପଟିକୁ ଉଦ୍ଧାର କରାଯାଇଥିଲା ।