କିଛି ବର୍ଷ ପରେ ଛୋଟ ପିଲାଙ୍କର ସାଧାରଣ ଥଣ୍ଡା ଜ୍ୱରରେ ପରିଣତ ହେବ କରୋନା

iladendron / Getty Images

ଭୁବନେଶ୍ୱର: ଆସନ୍ତା କିଛି ବର୍ଷ ମଧ୍ୟରେ ସାଧାରଣ ଥଣ୍ଡା ରୋଗରେ ପରିଣତ ହୋଇଯିବ କରୋନା। ଏହା ବିଶେଷତଃ ଶିଶୁ ରୋଗରେ ପରିଣତ ହେବ। ଏଭଳି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି। ଆମେରିକା ଓ ନରଓ୍ୱେର ଗବେଷକ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁସାରେ କରୋନାର ଗମ୍ଭୀରତା ଶିଶୁଙ୍କ ନିକଟରେ ବିଶେଷ ପରିଲକ୍ଷିତ ହେଉନାହିଁ। ଆକ୍ରାନ୍ତ ହୋଇ ମଧ୍ୟ ଶିଶୁମାନେ ଗୁରୁତର ହେଉନାହାନ୍ତି। କେବଳ ବୟସ୍କମାନେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

ତେବେ ପ୍ରଥମେ ସଂକ୍ରମିତ ହେଲା ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ରୋଗୀ ପୂର୍ବାପେକ୍ଷା ଅଧିକ ଗୁରୁତର ହେଉନାହାନ୍ତି। କରୋନାର ଶକ୍ତିକୁ ହ୍ରାସ କରିବାରେ ଭ୍ୟାକ୍ସିନେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଟିକାକରଣ ପରେ ଲୋକଙ୍କ ମଧ୍ୟରେ ରୋଗପ୍ରତିରୋଧକ ଶକ୍ତି ବଢୁଛି। ଫଳରେ ଲୋକ ସଂକ୍ରମିତ ହେଲେ ମଧ୍ୟ ବିପଦ କମୁଛି।

ଏଣୁ କରୋନାର ଭୟାବହତା ଦିନକୁ ଦିନ କମିବା ସହିତ ଏହା ସାଧାରଣ ଥଣ୍ଡା ରୋଗରେ ପରିଣତ ହେବ ବୋଲି ଗବେଷକ କହିଛନ୍ତି। କେବଳ ଟିକା ନେଇନଥିବା ଯୁବକଙ୍କ ପାଇଁ ଭୟ ରହିଛି। ରିପୋର୍ଟ ଅନୁସାରେ ପୂର୍ବରୁ ବିଶ୍ୱକୁ ଅନେକ ମହାମାରୀ ଆସିଛି। ଯାହାକି କିଛି ବର୍ଷ ପରେ ଦୁର୍ବଳ ହେବା ସହିତ ସାଧାରଣ ରୋଗରେ ପରିଣତ ହୋଇଛି।

Leave a Reply