୭୦ ବର୍ଷପରେ ହିରାକୁଦ ବିସ୍ଥାପିତଙ୍କ ଦୁଃଖ ହେଲା ଦୁର,୨ ହଜାର ପରିବାରକୁ ମିଳିବ ଘରଡିହ

ଝାରସୁଗୁଡା : ୭୦ ବର୍ଷ ତଳେ ତିଆରି ହୋଇଥିଲା ହିରାକୁଦ ମାଟିବନ୍ଧ। ଏହି ବନ୍ଧ ପାଇଁ ଉପକୂଳ ଓଡ଼ିଶା ବନ୍ୟା ଦାଉରୁ ସୁରକ୍ଷିତ ହୋଇଥିଲା। କୃଷିକ୍ଷେତକୁ ଜଳସେଚନ ହୋଇପାରିଛି। କିନ୍ତୁ ୭୦ ବର୍ଷ ତଳେ ଏହି ବନ୍ଧ ତିଆରି ପାଇଁ ଅନେକ ଗାଁକୁ ଜଳସମାଧି ନେବାକୁ ପଡିଥିଲା। ସେହି ସବୁ ଗାଁର ବାସିନ୍ଦା ବିସ୍ଥାପିତ ହୋଇଥିଲେ । ନିଜ ଗାଁ ଓ ଚାଷ ଜମୀ ହରାଇଥିବା ସେହିଭଳି ୨ ହଜାର ବିସ୍ଥାପିତ ପରିବାରଙ୍କ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସବୁ ପରିବାରଙ୍କୁ ଘର ଡିହ ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଷ ଦେଇଛନ୍ତି ।
ଝାରସୁଗୁଡାରେ ଆଜି ସ୍ମାର୍ଟ୍ କାର୍ଡ ସେବା ବଣ୍ଟନ କାର୍ଯ୍ୟକ୍ରମରେ ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ହୀରାକୁଦ ନଦୀବନ୍ଧ ପ୍ରକଳ୍ପ ଦ୍ୱାର ଝାରସୁଗୁଡା ଜିଲ୍ଲାର ଯେଉଁ ୨ ହଜାର ପରିବାର ବିସ୍ଥାପିତ ହୋଇଥିଲେ ସେମାନଙ୍କୁ ଘରଡିହ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ୱାରା ଦୀର୍ଘଦିନ ଧରି ହୋଇଆସୁଥିବା ଦାବି ପୁରଣ ହୋଇଛି ।

ସୂଚନାଯୋଗ୍ୟ ଯେ, ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ଝାରସୁଗୁଡା ଓ ବ୍ରଜରାଜନଗର ପାଇଁ ଦୁଇଟି ୱାଟର ଟ୍ରିଟମେଣ୍ଟ ପ୍ରକଳ୍ପ ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ଏହି ଦୁଇଟି ସହରର ଲୋକମାନେ ଭଲ ପିଇବା ପାଣି ପାଇପାରିବେ।

ଝାରସୁଗୁଡା ଜିଲ୍ଲାର ସବୁ ଗାଁ ଓ ସବୁ ସହରକୁ ଭଲ ପିଇବା ପାଣି ଯୋଗାଇ ଦେବାପାଇଁ ୬୧୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ ଜୁନ୍ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ।

ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପରେ ଏକ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଦିଆଯାଇଛି । ଏହାସହିତ ଜିଲ୍ଲାରେ ୧୮୬ କୋଟି ଟଙ୍କାର ୪ଟି ମେଗା ଲିଫ୍ଟ ଜଳସେଚନ କାମ ଚାଲିଛି ଏବଂ ଜିଲ୍ଲାର ସବୁ ଅଞ୍ଚଳକୁ ଜଳସେଚନ ର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଖୁବ ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave a Reply