ହୀରାକୁଦ ଜଳଭଣ୍ଡାରକୁ ଭୂମିକମ୍ପ ଡର, ୬୭ ବର୍ଷ ପରେ ସୁରକ୍ଷା ନେଇ ହେବ ସର୍ଭେ

ଭୁବନେଶ୍ବର: ବିପଦରେ ହୀରାକୁଦ ଜଳଭଣ୍ଡାର । ରାଜ୍ୟର ସର୍ବବୃହତ ନଦୀବନ୍ଧ ପ୍ରତି ରହିଛି ଭୂମିକମ୍ପ ଡର । ୬୭ ବର୍ଷ ପରେ ଏହାର ସୁରକ୍ଷା ନେଇ ହେବ ସର୍ଭେ । କେନ୍ଦ୍ର ସରକାରଙ୍କ ପାଇଲଟ ଯୋଜନାରେ ସାମିଲ ହୋଇଛି ହୀରାକୁଦ ଜଳଭଣ୍ଡାର । ଅକ୍ଟୋବର ୨୨ ଓ ୨୩ ତାରିଖ ଦୁଇଦିନ ଧରି ଜୟପୁରର ଏମଏନଆଇଟି ସଂସ୍ଥା ହୀରାକୁଦ ସୁରକ୍ଷା ନେଇ ସର୍ଭେ କରିବେ । ଜଳଭଣ୍ଡାରର ଇନଫ୍ଲୋ ଓ ଆଉଟ ଫ୍ଲୋ ନିୟନ୍ତ୍ରଣ କରିବାକୁ ହୋଇଥିବା ରୁଲ୍ କର୍ଭ ନିୟମରେ ବି ହୋଇପାରେ ପରିବର୍ତ୍ତନ । ଜଳଭଣ୍ଡାରରେ ପଟୁମାଟି ଜମା ହୋଇ ଜଳଧାରଣ କ୍ଷମତା କମୁଥିବାରୁ ରୁଲ୍ କର୍ଭ ଉପରେ ପୁର୍ନବିଚାରର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି ।

ହୀରାକୁଦ ନଦୀବନ୍ଧର ହେବ ବିସ୍ତୃତ ସର୍ଭେ । ଭୂମିକମ୍ପ ଜୋନ୍ ୨ରୁ ୩କୁ ଉନ୍ନୀତ ହୋଇଛି ମହାନଦୀ ବେସିନ । ହୀରାକୁଦ ଡ୍ୟାମ ଭୂମିକମ୍ପ ସମ୍ଭାଳିବା ପାଇଁ କେତେ ସକ୍ଷମ ?  ୧୯୫୭ରେ ନିର୍ମିତ ଏହି ନଦୀବନ୍ଧ ୬୭ ବର୍ଷ ପରେ କେତେ ସୁଦୃଢ ରହିଛି ? ଏସବୁ ଜାଣିବା ପାଇଁ ଡ୍ୟାମ ନିରାପତ୍ତା ବିଭାଗ ପକ୍ଷରୁ କରାଯିବ ବ୍ୟାପକ ସର୍ଭେ । ଜୟପୁରର ମାଲଭିୟା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଟେକ୍ନୋଲୋଜି ହୀରାକୁଦର ବାସ୍ତବ ସ୍ଥିତି ନୀରିକ୍ଷଣ କରିବ । ଅକ୍ଟୋବର ୨୨ ଓ ୨୩ରେ ଏହାର ଷ୍ଟ୍ରକଚର, ଡିଜାଇନ ବାବଦରେ ବିସ୍ତୃତ ସର୍ଭେ ହେବ । ଜଳସମ୍ପଦ ବିଭାଗ ପକ୍ଷରୁ ଏ ନେଇ ମହାନଦୀ ଡିଭିଜନକୁ ଚିଠି ଲେଖି ପ୍ରସ୍ତୁତ ରହିବା ସହ ଆବଶ୍ୟକୀୟ ତଥ୍ୟ ଦେବାକୁ କୁହାଯାଇଛି ।

୧୯୫୭ରେ କେନ୍ଦ୍ରୀୟ ଜଳ କମିଶନ ହୀରାକୁଦ ନଦୀବନ୍ଧର ଡିଜାଇନକୁ ଅନୁମୋଦନ କରିଥିଲେ । ସମୟ ବଦଳିବା ଅନୁସାରେ ନୂଆ ନୂଆ ସମସ୍ୟା ବି ସାମ୍ନାକୁ ଅସୁଛି । ହୀରାକୁଦ କେବଳ ଓଡ଼ିଶା ଗର୍ବ ଗୌରବ ନୁହଁ, ବରଂ ହୀରାକୁଦ ଡ୍ୟାମ ଉପରେ ୧୬ଟି ଜିଲ୍ଲା ନିର୍ଭରଶୀଳ । ଏସବୁ ଦୃଷ୍ଟିକୋଣରୁ ହୀରାକୁଦର ସୁରକ୍ଷା ବି ଜରୁରୀ । କେନ୍ଦ୍ର ସରକାର ନୂଆ କରି ଡ୍ୟାମ ନିରାପତ୍ତା ମନ୍ତ୍ରାଳୟ ଖୋଲିବା ପରେ ଦେଶର କିଛି ଡ୍ୟାମ ସୁରକ୍ଷା ବାବଦରେ ପାଇଲଟ ଭିତ୍ତିରେ ସର୍ଭେ କାମ କରିବାକୁ ଯାଉଛନ୍ତି । ଏଥିରେ ହୀରାକୁଦ ସ୍ଥାନ ପାଇଛି । ସୁରକ୍ଷା ସାଙ୍ଗକୁ ପଟୁମାଟି ଯୋଗୁଁ ଜଳଭଣ୍ଡାରର ଜଳଧାରଣ କ୍ଷମତା କମି ଚାଲିଛି । ଜଳଭଣ୍ଡାରକୁ କେତେ ପାଣି ଆସୁଛି ଓ କେତେ ପାଣି ଯାଉଛି, ତାହା ନିର୍ଦ୍ଧାରଣ କରିବାକୁ ରୁଲ କର୍ଭ ନିୟମ ରହିଛି । ଏଥିରେ ବି ପରିବର୍ତ୍ତନ ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି ।

ସର୍ଭେ ପୂର୍ବରୁ ହୀରାକୁଦର ବିଗତ ବର୍ଷର ଅନେକ ତଥ୍ୟ ମାଗିଛି ଏମଏନ୍ଆଇଟି ସଂସ୍ଥା । ୧୬ଟି ଜିଲ୍ଲାରେ ଜଳସେଚନ, ବିଜୁଳି ଉତ୍ପାଦନ, ଶିଳ୍ପକୁ ପାଣି ଯୋଗାଣ ସବୁ କିଛି ନିର୍ଭର କରୁଛି ହୀରାକୁଦର ସୁରକ୍ଷା ଉପରେ ।