ଆରମ୍ଭ ହେଲା ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା, ଜାଣନ୍ତୁ ଯାତ୍ରୀଙ୍କ ପାଇଁ କଣ ରହିଛି ନୂଆ ଗାଇଡଲାଇନ…

ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା । କରୋନା କଟକଣା ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣା ରବିବାର ଠାରୁ ହଟାଯାଇଛି । କରୋନା ସଂକ୍ରମଣ କମିବା ପରେ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ମାମଲା ବଢିବା ପରେ ଗତ ୨୦୨୦ ମସିହା ମାର୍ଚ୍ଚ ୨୩ ତାରିଖରୁ ବ୍ୟବସାୟିକ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧ ଲଗାଯାଇଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ କମିବା ପରେ ସରକାର ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ତେବେ ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡିବ । ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ଡିଜିସିଏ । କରୋନା କମିଥିବାରୁ ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କ ଏଣିକି ପିପିଇ କିଟ୍ ପିନ୍ଧିବାକୁ ପଡିବ ନାହିଁ । ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।

ଗ୍ରୀଷ୍ମ କାଳୀନ ବିମାନ ସେବାର ସମୟ ସାରଣୀ ମାର୍ଚ୍ଚ ୨୭ ରୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ରଖାଯାଇଛି

ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ, ନିର୍ଦ୍ଧାରିତ ବିଦେଶୀ ପରିବହନକାରୀମାନେ ସେମାନଙ୍କର ଆନ୍ତର୍ଜାତୀୟ କାର୍ଯ୍ୟସୂଚୀ ଅନୁମତି ପାଇଁ ଆବେଦନ କରିଛନ୍ତି । ଗ୍ରୀଷ୍ମ କାଳୀନ ବିମାନ ସେବାର ସମୟ ସାରଣୀ ବା ସମର ସିଡୁଲ ୨୦୨୨ ଚଳିତ ବର୍ଷ ମାର୍ଚ୍ଚ ୨୭ ରୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ମରିସସ୍, ମାଲେସିଆ, ଥାଇଲ୍ୟାଣ୍ଡ, ତୁର୍କୀ, ଆମେରିକା, ଇରାକ ଏବଂ ଅନ୍ୟାନ୍ୟ ୪୦ ଟି ଦେଶର ମୋଟ ୬୦ ଟି ବିଦେଶୀ ବିମାନକୁ ସମର ସିଡୁଲ ୨୦୨୨ ସମୟରେ ଭାରତରୁ କିମ୍ବା ଭାରତ ପାଇଁ ୧୭୮୩ ଫ୍ରିକ୍ୱେନ୍ସି ଚଳାଇବାକୁ ଅନୁମତି ଦିଆଯାଇଛଇ । ଏଠାରେ କିଛି ନୂତନ ବିମାନ ସେବା – ଇଣ୍ଡିଆ ସଲାମ ଏୟାର, ଏୟାର ଆରବିୟ ଆବୁଧାବି, କ୍ୱାଣ୍ଟାସ ଏବଂ ଆମେରିକୀୟ ବିମାନ କମ୍ପାନୀ ଭାରତ ସହିତ ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ।