୧୭ ବର୍ଷର ରାଜୁତି ପରେ ନାଁ ପରିବର୍ତ୍ତନ କଲା ଫେସବୁକ

1 min read

ନନ୍ଦିଘୋଷ ବ୍ୟୁରୋ: ୨୦୨୧ ସୋସିଆଲ ମିଡିଆ ଓ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଘଟଣା ବହୁଳ ବର୍ଷ ଥିଲା । ଫେସବୁକଠାରୁ ଆରମ୍ଭ କରି ଟ୍ୱିଟର ପର୍ଯ୍ୟନ୍ତ ସବୁଠାରେ ଦେଖିବାକୁ ମିଳିଥିଲା କିଛି ନା କିଛି ପରିବର୍ତ୍ତନ । ଏପରି ପରିବର୍ତ୍ତନକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା ଫେସବୁକ୍ । ୧୭ ବର୍ଷର ବିଜୟ ଯାତ୍ରା ପରେ ନାମ ପରିବର୍ତ୍ତନ କରିଥିଲା ଏହି ବହୁଳ ବ୍ୟବହୃତ ସୋସିଆଲ ମିଡ଼ିଆ ଫେସବୁକ । ଆସିଥିଲା ନୂଆ ନାଁ ‘ମେଟା’।

ସୋସିଆଲ ମିଡିଆ ପ୍ଲାଟଫର୍ମର ବାଦଶାହା ‘ଫେସବୁକ’ । ବିଶ୍ୱରେ ସର୍ବାଧିକ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ କମ୍ପାନୀ ମଧ୍ୟରେ ଅନ୍ୟତମ ଫେସବୁକ । ବିଶ୍ୱରେ ମୋଟ ୨.୮୯ ବିଲିୟନ ୟୁଜର୍ସ ଫେସବୁକ ବ୍ୟବହାର କରୁଛନ୍ତି । କେବଳ ଭାରତରେ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୪୧ କୋଟି । ୪ ଜାନୁଆରୀ ୨୦୦୪ରେ ମାର୍କ ଜୁକରବର୍ଗଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ଏବେ ବିଶ୍ୱରେ ପ୍ରମୁଖ ସାମାଜିକ ଗଣମାଧ୍ୟମ ହୋଇପାରିଛି । ଏହି ୧୭ ବର୍ଷ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ରାଜୁତି କରିବା ପରେ ୨୦୨୧ରେ ନାଁ ବଦଳାଇଛି କମ୍ପାନୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବେ ’ମେଟା’ ନାଁରେ ଲୋକଙ୍କ ପାଖରେ ପହଞ୍ଚିଛି । ଫେସବୁକ ମୂଳ କମ୍ପାନୀର ନାଁ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ ଫେସବୁକ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ । ମୂଳ କମ୍ପାନୀର ନାଁ ବଦଳୁଥିଲେ ମଧ୍ୟ ଏକକ ବ୍ରାଣ୍ଡ ଫେସବୁକ୍, ଇନଷ୍ଟାଗ୍ରାମ୍, ହ୍ୱାଟସଆପର ନାଁ ଅପରିବର୍ତ୍ତିତ ରହିବ ।

’ମେଟା’ ନାଁର ଉଦ୍ଦେଶ୍ୟ କ’ଣ?

ଫେସବୁକ ନାଁ ପରିବର୍ତ୍ତନ ପୂର୍ବରୁ ବିଗତ କିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ୍ କରିବ ବୋଲି ରିପୋର୍ଟ ଆସୁଥିଲା । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାଭର୍ସ କରିବା ପାଇଁ ଫୋକସ କରୁଥିଲା । ଯାହା ମୂଳତଃ ଏକ ଅନଲାଇନ ଦୁନିଆ, ଯେଉଁଥିରେ ୟୁଜର ଭର୍ଚ୍ୟୁଆଲ ପରିବେଶରେ ଭିନ୍ନ ଭିନ୍ନ ଟୁଲ୍ସର ବ୍ୟବହାର କରିପାରିବେ ।

ମାର୍କ ଜୁକରବର୍ଗ ଘୋଷଣା କରି କହିଥିଲେ କମ୍ପାନୀ କେବଳ ଏକ ସୋସିଆଲ ମିଡିଆ କମ୍ପାନୀରୁ ଆଗକୁ ବଢି ମେଟାଭର୍ସ କମ୍ପାନୀ ହେବ । ଏହା ଆମ୍ବାଇଟେଡ୍ ଇଣ୍ଟରନେଟ୍ ଉପରେ କାମ କରିବ । ଯେଉଁଥିରେ ଭର୍ଚ୍ୟୁଆଲ ଦୁନିଆରେ ପରସ୍ପର ସହ ଅଧିକ ଭଲ ଭାବେ ଯୋଡି ହୋଇପାରିବେ । ସାରା ବିଶ୍ୱର ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁକରବର୍ଗ କହିଥିଲେ । ପୁଣି ଥରେ ଏହାର ରି-ବ୍ୟାଣ୍ଡିଂ ସହ ବହୁ ସମୟରେ ଆସୁଥିବା କପି ରାଇଟ୍ ସମସ୍ୟାକୁ ଏଡ଼ାଇବାକୁ ଏପରି କରାଯାଇଥିବା ଜଣାପଡ଼ିଥିଲା ।

କମ୍ପାନୀର ପୂର୍ବତନ ସିଭିକ୍ ଇଣ୍ଟିଗ୍ରିଟି ଚିଫ୍ ସମୀଥ ଚକ୍ରବର୍ତ୍ତୀ କମ୍ପାନୀର ନୂଆ ନାଁ ’ମେଟା’ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ପୂର୍ବରୁ ୨୦୦୪ରେ ଯେତେବେଳେ ଫେସବୁକ ପ୍ରତିଷ୍ଠା ହୋଇଥିଲା ଏହାର ନାଁ ‘ଦି ଫେସବୁକ’ ରହିଥିଲା । କିନ୍ତୁ ୨୦୦୫ ମସିହାରେ ଏହାର ନାମ ପରିବର୍ତ୍ତନ କରି କେବଳ ଫେସବୁକ ରଖାଯାଇଥିଲା ।

ଫେସବୁକ୍ ପ୍ଲାଟଫର୍ମକୁ କେତେକ ନ୍ୟସ୍ତସ୍ୱାର୍ଥ୍ୟ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟରେ ଲଗାଇବା, ଫେକ୍ ନ୍ୟୁଜ୍ ପ୍ରସାରଣ ହେବା ସହ ବିଭିନ୍ନ ରାଷ୍ଟ୍ରର ରାଜନେତାମାନଙ୍କ ସମାଲୋଚନା ପରେ ଫେସବୁକ୍ ଏହି ନିଷ୍ପତ୍ତି ନେଇଥିଲା । ଆଗାମୀ ୫ ବର୍ଷରେ ଫେସବୁକ ଏକ ‘ମେଟାଭର୍ସ କମ୍ପାନୀ ହେବାକୁ ଯାଉଥିବା ଜୁକରବର୍ଗ କହିଥିଲେ। ମେଟାଭର୍ସ ଯୋଜନାର ଏକ ଅଂଶ ଭାବେ ସେ କମ୍ପାନୀର ରିବ୍ରାଣ୍ଡିଂ କରି ଏପରି ନାଁ ରଖିଥିବା କହିଥିଲେ ସିଇଓ ମାର୍କ ଜୁକରବର୍ଗ ।

Leave a Reply