ପଦାକୁ ଆସିବ ସଇତାନର ଷଡ଼ଯନ୍ତ୍ର, ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଅଫତାବର ଆଜି ହେବ ନାର୍କୋ ଟେଷ୍ଟ

ନୂଆଦିଲ୍ଲୀ: ଶ୍ରଦ୍ଧା ଓ୍ୱାକର ହତ୍ୟା ମାମଲାର ପଦାକୁ ଆସିବ ସତ । ଦିଲ୍ଲୀ ପୋଲିସ ହାତରେ ଲାଗିଲାଣି ପ୍ରମାଣ ପରେ ପ୍ରମାଣ । ଆଜି ଅଭିଯୁକ୍ତ ଅଫତାବର ହେବ ନାର୍କୋ ଟେଷ୍ଟ । ଏଥିପାଇଁ ୪୦ରୁ ଅଧିକ ପ୍ରଶ୍ନର ପ୍ରସ୍ତୁତ ହୋଇଛି । ସେ ପ୍ରଶ୍ନ ଗୁଡ଼ିକ ମଧ୍ୟରେ ରହିଛି, ଶ୍ରଦ୍ଧା ଓ୍ୱାକରଙ୍କୁ ତୁମେ ଜାଣିଛ କି ? ସେ ତୁମର ଗର୍ଲଫ୍ରେଣ୍ଡ କି? ମୁମ୍ବାଇ ଛାଡ଼ିବା ପରେ ଦୁହେଁ କେଉଁଠିକି ଯାଇଥିଲ ? ଦୁହେଁ କାହିଁକି ହଠାତ୍ ଦିଲ୍ଲୀ ଚାଲିଗଲ ? ଶ୍ରଦ୍ଧାଙ୍କ ସହ ରିଲେସନରେ ରହିଥିଲ କି ? ଶ୍ରଦ୍ଧାଙ୍କୁ ଭଲ ପାଅ କି ? ଦୁହିଁଙ୍କ ମଧ୍ୟରେ କଳି ଲାଗୁଥିବା ସହ ତୁମେ ଶ୍ରଦ୍ଧାଙ୍କୁ ମାଡ଼ ମାରୁଥିଲ କି ? ଶେଷ ଥର ଲାଗି ଶ୍ରଦ୍ଧାଙ୍କୁ କେଉଁଠାରେ ଦେଖିଥିଲ ? ତୁମେ ଶ୍ରଦ୍ଧାଙ୍କୁ ହତ୍ୟା କରିଛ କି ? ଶ୍ରଦ୍ଧାଙ୍କୁ କେତେବେଳେ ଓ କାହିଁକି ହତ୍ୟା କଲ ? କିପରି ଶ୍ରଦ୍ଧାଙ୍କୁ ହତ୍ୟା କଲ ? ତୁମେ ତାଙ୍କର ଗଳା ଚିପି ହତ୍ୟା କରିଛ କି ? ଶ୍ରଦ୍ଧାଙ୍କ ଶରୀରକୁ ଖଣ୍ଡଖଣ୍ଡ କାଟିଛ କି ? କାଟିବା ପରେ ଶରୀର ଅଂଶଗୁଡିକ କେଉଁଠି ଫୋପାଡ଼ିଛ ? ଶରୀର ଅଂଶ ଫିଙ୍ଗିବା ଲାଗି କେତେ ଥର ସହରରେ ବୁଲିଛ ? ତୁମେ ଡ୍ରଗ୍ସ ସେବନ କରୁଛ କି ? ହତ୍ୟାକାଣ୍ଡ ଦିନ ତୁମେ ନିଶା ସେବନ କରିଥିଲ କି ? ହତ୍ୟା ପରେ କିପରି ସେ ସବୁ ସଫା କଲ ? ଏହି ସବୁ ପ୍ରଶ୍ନର ଉତ୍ତର ପାଇବାକୁ ଆଶା ରଖିଛି ଦିଲ୍ଲୀ ପୋଲିସ ।

ଅନ୍ୟପକ୍ଷରେ ଅକ୍ଟୋବର ୧୮ ରାତିର ଛାତିଥରା ସିସିଟିଭି ଭିଜୁଆଲ ମିଳିବା ପରେ ମେହରୁଲି ଜଙ୍ଗଲରୁ କିଛି ହାଡ଼ ମିଳିଛି । ସେସବୁ ଶ୍ରଦ୍ଧାଙ୍କର କି ନୁହେଁ ଫରେନସିକ ଯାଞ୍ଚ ଲାଗି ପଠାଇଛି ପୋଲିସ । ସେପଟେ ଛତରପୁରସ୍ଥିତ ପୋଖରୀକୁ ଶ୍ରଦ୍ଧାଙ୍କ କଟା ମୁଣ୍ଡ ଅଫତାବ ଫୋପାଡ଼ି ଦେଇଥିବା ଜଣାପଡ଼ିଛି । ଏଥିପାଇଁ ପୋଖରୀରୁ ପାଣି କଢ଼ା ଯାଇଥିବା ବେଳେ ବୁଡାଳିମାନେ ଅନୁସନ୍ଧାନ କରୁଛନ୍ତି । ସେପଟେ ଅଫତାବର ଭଡ଼ା ଘରେ ଆଜି ପୋଲିସ ପୁଣି କ୍ରାଇମସିନ୍ ରିକ୍ରିଏଟ କରିଛି । ଆସନ୍ତା କିଛି ଦିନ ମଧ୍ୟରେ ଦିଲ୍ଲୀ ପୋଲିସକୁ ଯଦି ମର୍ଡର କେସର କିଛି ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ନମିଳିଲେ ତେବେ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବ ବୋଲି ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା କହିଛନ୍ତି  । ଅନ୍ୟପଟେ ମର୍ଡର କେସର ସିବିଆଇ ତଦନ୍ତ ପାଇଁ ଶ୍ରଦ୍ଧାଙ୍କ ପରିବାର ପକ୍ଷରୁ ଦାବି ହୋଇଛି ।