ତାଲିବାନ ସରକାର ଅବୈଧ, ଆମେ ନିଜର କ୍ୟାବିନେଟ୍ ଗଢିବୁ ବୋଲି କହିଲା NRF

1 min read

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନ ସରକାର ଗଠନ କରିଛି । ହେଲେ ପଞ୍ଜଶୀରର ଯୋଦ୍ଧା ମାନେ ଏହାକୁ ମାନିବାକୁ ନାରାଜ। ଆଉ ଏବେ ଆଫଗାନିସ୍ତାନରେ ନିଜେ ସରକାର ଗଠନ କରିବେ ଓ ତାଲିବାନ ସରକାରକୁ ମାନିବେ ନାହିଁ ବୋଲି ନ୍ୟାସନାଲ୍ ରେଜିଷ୍ଟ୍ରେସ୍ ଫ୍ରଣ୍ଟ (NRF) ଘୋଷଣା କରିଛି ।

ଆଫଗାନିସ୍ତାନରେ ପଞ୍ଜଶୀର ଏଭଳି ଏକ ସ୍ଥାନ ଯାହାକୁ ତାଲିବାନ ସମ୍ପୂର୍ଣ୍ଣ ଭାବେ ଅକ୍ତିଆର କରିପାରି ନାହିଁ । ତେବେ ତାଲିବାନ ଏହାର କିଛି ଅଞ୍ଚଳକୁ କବଜା କରିଥିଲେ ମଧ୍ୟ ପଞ୍ଜଶୀରର ଯୋଦ୍ଧା ମାନେ ହାର ମାନିନାହାଁନ୍ତି । ଆଉ ପାହାଡ ଉପରୁ ତାଲିବାନୀ ମାନଙ୍କୁ ଟକ୍କର ଦେବାରେ ଲାଗିଛନ୍ତି ।

ନ୍ୟାସନାଲ୍ ରେଜିଷ୍ଟ୍ରେସ୍ ଫ୍ରଣ୍ଟ (NRF)କୁ ନର୍ଦନ ଅଲାୟନ୍ସ ମଧ୍ୟ କୁହାଯାଏ। ଯାହାର ନେତୃତ୍ୱ ନେଇଛନ୍ତି ଅହମଦ ମସୁଦ । ମଙ୍ଗଳବାର ରାତିରେ ତାଲିବାନ ନିଜ କ୍ୟାବିନେଟ୍ ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅହମଦ ମସୁଦ । ଆଉ କହିଛନ୍ତି ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଚାଲିବ ଯେଉଁଥିପାଇଁ ନେତା ମାନଙ୍କ ସହ ବିଚାର-ବିମର୍ଶ ଚାଲିଛି ।

ତାଲିବାନର କେୟାରଟେକର ସରକାରକୁ NRF ଅବୈଧ ବୋଲି ଘୋଷଣା କରିଛି । କେବଳ ଏତିକି ନୁହେଁ NRF ନିଜ ବୟାନରେ କହିଛି ଯେ, ତାଲିବାନ ହେଉଛି ଆଫଗାନ ସହ ପୂରା ଦୁନିଆ ପାଇଁ କ୍ଷତିକାରକ । ଏହାପୂର୍ବରୁ ନର୍ଦନ ଅଲାୟନ୍ସ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ର, ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ, ସାର୍କ, OIC ଭଳି ସଙ୍ଗଠନ ମାନଙ୍କୁ ତାଲବାନକୁ କୗେଣସି ପ୍ରକାର ସହଯୋଗ ନକରିବା ପାଇଁ ଅପିଲ୍ କରାଯାଇଥିଲା।

ସେହିପରି ଆଫଗାନ ସରକାରରେ ମନ୍ତ୍ରୀ ଥିବା ସଲାହୁଦ୍ଦିନ ରବ୍ବାନୀ ମଧ୍ୟ ତାଲିବାନ ଦ୍ୱାରା ଗଠିତ ସରକାରର ନିନ୍ଦା କରିଛନ୍ତି । ଏହି ସରକାର ଅଧିକ ସମୟ ଯାଏଁ ଚାଲିପାରିବ ନାହିଁ ବୋଲି ସେ ଦାବି ମଧ୍ୟ କରିଥିଲେ।

Leave a Reply