ଇସ୍ତଫା ଦେଇପାରନ୍ତି ଆଫଗାନୀ ରାଷ୍ଟ୍ରପତି ଅଶରଫ, ପରିବାର ଧରି ଦେଶ ଛାଡିବାକୁ ହେଲେଣି ପ୍ରସ୍ତୁତ

1 min read

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଗନୀ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ସୂତ୍ରରୁ ପ୍ରକାଶ ଯେ ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଚାଲିଥିବା ଆକ୍ରମଣକୁ ବନ୍ଦ କରିବା ଏବଂ ତାଲିବାନ ସହିତ ତୁରନ୍ତ ଅସ୍ତ୍ରବିରତି ଚୁକ୍ତି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇପାରେ । ତାଙ୍କ ଇସ୍ତଫା ପରେ ଗନୀ ତାଙ୍କ ପରିବାର ସହିତ ଏକ ‘ତୃତୀୟ ଦେଶ’ ଯାଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି । ତେବେ ଆଫଗାନିସ୍ତାନର ପ୍ରଥମ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏହି ନିଷ୍ପତ୍ତିରେ ସହମତ ନୁହଁନ୍ତି ।

କୁହାଯାଉଛି ଯେ, ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରେ ଜାରି ଆକ୍ରମଣକୁ ରୋକିବାର ଚେଷ୍ଟା କରି ଗନୀ ବୁଧବାର ମଜାର-ଇ-ସରିଫ୍ ଯାଇଥିଲେ। ସେ ଏହି ସମୟରେ ବହୁ ମିଲିଶିୟା କମାଣ୍ଡରଙ୍କ ସହିତ ବୈଠକ କରିଥିଲେ। ଆଫଗାନିସ୍ତାନର ରାଜଧାନୀ କାବୁଲର ଖୁବ ପାଖରେ ତାଲିବାନ ପହଁଞ୍ଚି ସାରିଛି । ଏହା ଭିତରେ ଶାନ୍ତି ବାର୍ତ୍ତା ସମିତି ନୂଆ ଡ୍ରାଫ୍ଟ ପ୍ରସ୍ତୁତ କରିବାରେ ଲାଗିଛନ୍ତି, ଏହା ଅନୁସାରେ, ରାଷ୍ଟ୍ରପତି ଅଶରଫ୍ ଗନିଙ୍କ ସରକାର ସମ୍ପୂର୍ଣ୍ଣ ଭାବରେ ବହିଷ୍କାର ହୋଇପାରନ୍ତି। ତେବେ ଆଫଗାନିସ୍ତାନର ଉପ-ରାଷ୍ଟ୍ରପତି ଅମରୁଲା ସାଲେହ ଏହି ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରି ନାହାନ୍ତି।

ଉଚ୍ଚପଦସ୍ତ ସୁତ୍ରରୁ ଜଣାପଡିଛି ଯେ, ଆଫଗାନିସ୍ତାନରେ ଯୁଦ୍ଧ ବିରାମ ପାଇଁ ଯେଉଁ ନୂଆ ଫର୍ମୁଲା ଉପରେ ମନ୍ଥନ ଚାଲିଛି ତାହା ଅନୁସାରେ,  ତାଲିବାନ ସେନା ଅଧିକାରୀ ଓ ବର୍ତ୍ତମାନର କିଛି ପ୍ରତିନିଧିଙ୍କ ସହିତ ଆଭ୍ୟନ୍ତରୀଣ ସରକାର ଗଠନ କରାଯିବ। ସବୁ ପ୍ରକାର ବିଚାର ବିମର୍ଶ ପରେ ଏହି ଫର୍ମୁଲା ସମସ୍ତ ଦଳ ସହିତ ଭାଗ କରାଯିବ। କାରଣ ଏହା ଏବେ ପ୍ରାରମ୍ଭିକ ସ୍ତରରେ ରହିଛି। ଆଫଗାନିସ୍ତାନରେ ତାଲିବାନ ଏବେ  ଦୃତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି। ଏପରିକି ଶନିବାର ସକାଳ ସୁଦ୍ଧା କାବୁଲର ଦକ୍ଷିଣରେ ଥିବା ଲାଗୁର ଉପରେ କବଜା କରିସାରିଛି।

ଇତିମଧ୍ୟରେ ଦେଶରେ ତାଲିବାନ ପ୍ରାଦୁର୍ଭାବ ବଢ଼ୁଥିବା ଦେଖି ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଆଫ୍‌ଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନୀ । ଏକ ରେକର୍ଡ ମେସେଜ୍‌ରେ ଗନୀ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ଭୟଙ୍କର ଅସ୍ଥିରତା ଦେଖାଦେଇଛି । ସେ ଏନେଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିବା ସହିତ ଅନ୍ୟ ସହଯୋଗୀ ଦେଶର ନେତାମାନଙ୍କ ସହିତ ମଧ୍ୟ କଥା ହୋଇଛନ୍ତି। ବର୍ତ୍ତମାନ ସମୟରେ ସେନାର ପୁନଃର୍ଗଠନ କରିବା ଖୁବ ଆବଶ୍ୟକ ବୋଲି ଗନି ରେକର୍ଡ ମେସେଜ୍‌ରେ କହିଛନ୍ତି।

ଅନ୍ୟପଟେ ଆଜି ମଧ୍ୟ ତାଲିବାନ ଭୟଙ୍କର ଆକ୍ରମଣ କରିଛି। କାବୁଲର ଦକ୍ଷିଣାଞ୍ଚଳକୁ ନିଜ କବ୍‌ଜାକୁ ନେବା ପରେ ଭୟଙ୍କର ଆକ୍ରମଣ ଜାରି ରଖିଛି ଆତଙ୍କବାଦୀ ଗୋଷ୍ଟି।

ରେକର୍ଡ ମେସେଜ୍‌ରେ ଗନୀ କହିଛନ୍ତି ‘ରାଷ୍ଟ୍ରପତି ହିସାବରେ ମୋ ଦେଶର ଲୋକମାନଙ୍କ ଉପରେ ହେଉଥିବା ହିଂସା ଓ ପଳାୟନ ଯୋଗୁ ଦେଶରେ ଦେଖାଥିବା ଅସ୍ଥିରତାକୁ ରୋକିବା।’

Leave a Reply