ରାସ୍ତାରେ ସିଙ୍ଗଡ଼ା ବିକୁଛନ୍ତି ଆଫଗାନିସ୍ତାନ ନ୍ୟୁଜ ଉପସ୍ଥାପକ

କାବୁଲ: ମଣିଷ ପରିସ୍ଥିତିର ଦାସ । ଟିଭିରେ ସଚ୍ଚୋଟତାର ସହ ନ୍ୟୁଜ ପଢୁଥିବା ଉପସ୍ଥାପକକୁ ଏବେ ରାସ୍ତାରେ ସିଙ୍ଗଡା ବିକିବାକୁ ପଡୁଛି  । ଏପରି ପରିସ୍ଥିତର ଗତି କରୁଛନ୍ତି ଆଫଗାନସ୍ତାନର ଜଣେ ପ୍ରତିଷ୍ଠିତ ସାମ୍ବାଦିକ । ପୂର୍ବ ବର୍ଷ ହିଁ ଆଫଗାନିସ୍ତାନର ପରିସ୍ଥିତି ସଙ୍କଟପୂର୍ଣ୍ଣ ହୋଇଯାଇଥିଲା । ବଦଳିଯାଇଥିଲା ସରକାର ଓ ଆରମ୍ଭ ହୋଇ ଯାଇଥିଲା ତାଲିବାନୀ ରାଜ୍ ।  ଏହା ପରେ ଯାହାକୁ ଯେମିତି ସୁବିଧା ମିଳିଲା ସେ ଦେଶ ଛାଡି ଚାଲିଯାଇଥିଲେ ।  ତାଲିବାନୀ ମାନେ ରାଜ୍ୟରେ ଯେମିତି ଆତଙ୍କ ଖେଳାଇଥିଲେ, ଯାହାକୁ ଦୃଷ୍ଟିରେ ରଖିଲେ ଦେଶବାସୀଙ୍କ ଦେଶ ଛାଡିବା ହିଁ  ଠିକ୍ ନିଷ୍ପତ୍ତି ବୋଲି କୁହାଯିବ ।

ଆଫଗାନିସ୍ତାନରେ କେବଳ ମହିଳା ମାନେ ହିଁ ନିର୍ଯ୍ୟାତନାର ଶିକାର ହୋଇଥିଲେ ତାହା ନୁହେଁ, ପୁରୁଷ ମାନଙ୍କ ଜୀବନ ମଧ୍ୟ ନର୍କ ପାଲଟିଯାଇଥିଲା । ଏବେ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଏକ ସମ୍ବାଦଦାତା ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତା କଡ଼ରେ ବସି ସିଙ୍ଗଡ଼ା ବିକୁଛନ୍ତି ।

ସୋସିଆଲ ମିଡିଆରେ ଉକ୍ତ ସାମ୍ବାଦିକଙ୍କ ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଆଫଗାନିସ୍ତାନର ଜାତୀୟ ମିଡିଆ ଓ ଟେଲିଭିଜନ ନିର୍ଦ୍ଦେଶକ ଜେନେରାଲ ଅହମ୍ମଦୁଲ୍ଲାହ ବାସିକ ମଧ୍ୟ ଏହାକୁ ସେୟାର କରିବା ସହ ଲେଖିଛନ୍ତି, ତାଙ୍କ ପରି ରିପୋର୍ଟର ଓ ଆଙ୍କରଙ୍କୁ ଆଉଥରେ ତାଙ୍କ ଡିପାଟମେଣ୍ଟରେ ଚାକିରି ଦିଆଯିବ । ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି କି ତାଲିବାନ ଶାସନ ପରେ ଗଣମାଧ୍ୟମର  ଅବସ୍ଥା କଣ ହୋଇଯାଇଛି? କେବେ ସୁଟ୍ ପିନ୍ଧି ଖବର ପ୍ରସାରଣ କରୁଥିବା ବ୍ୟକ୍ତିର ଏପରି ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।