ସେନା ହେଲିକପ୍ଟରରେ ଝୁଲାଇ ସଜା ଦେଲା କି ତାଲିବାନ୍ ? ଜାଣନ୍ତୁ ଭାଇରାଲ୍ ଭିଡିଓର ସତ…

1 min read
Afghanistan Helicopter Hanging Viral Video Truth Taliban

କାବୁଲ: ଆଫଗାନିସ୍ତାନ ଛାଡ଼ିଛି ଆମେରିକା ସେନା । ୨୦ ବର୍ଷର ଲମ୍ବା ଯୁଦ୍ଧ ପରେ ଅଗଷ୍ଟ ୩୦ରେ ଆଫଗାନିସ୍ତାନରୁ ବିଦାୟ ନେଇଛି ଆମେରିକା । ଆଫଗାନିସ୍ତାନରେ ଆମେରିକା ସେନା ବିପୁଳ ଅସ୍ତ୍ରଶସ୍ତ୍ର ସହ ଗାଡ଼ି ଓ ଏୟାରକ୍ରାଫ୍ଟ ଛାଡ଼ି ଯାଇଛି । ଏଥିସହ ଆଫଗାନିସ୍ତାନରେ ଆରମ୍ଭ ହୋଇଯାଇଛି ଏକଛତ୍ରବାଦ ତାଲିବାନୀ ରାଜ୍ । ତାଲିବାନକୁ ନେଇ ଭୟ ଓ ଆତଙ୍କ ଛାଇ ଯାଇଥିବା ବେଳେ ଏକ ଭିଡିଓ ଭାଇରାଲ୍ ହେଉଛି । ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ହେଲିକପ୍ଟରରେ ଝୁଲାଇ ଦିଆଯାଇଛି ।

ସୋସିଆଲ୍ ମିଡିଆରେ ଦାବି ଅନୁସାରେ, ଆମେରିକା ସେନା ଯିବା ପରେ ବିମାନବନ୍ଦର ଉପରେ ଏକ ହେଲିକପ୍ଟର ଉଡ଼ୁଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ଝୁଲୁଥିବା ଦେଖା ଯାଇଥିଲା । ଦାବି କରାଯାଇଥିଲା ଆମେରିକା ସେନାକୁ ସାହାଯ୍ୟ କରୁଥିବାରୁ ବ୍ୟକ୍ତି ଜଣଙ୍କୁ ଏଭଳି ନିର୍ଯାତନା ଦେଇଛନ୍ତି ତାଲିବାନୀ । ଅନ୍ତରାଷ୍ଟ୍ରୀୟ ମିଡିଆରେ ଏମିତି ଦାବି କରାଯାଉଥିବା ବେଳେ ଆଫଗାନିସ୍ତାନ ସାମ୍ବାଦିକ ଭାଇରାଲ୍ ଭିଡିଓର ସତ ସାମ୍ନାକୁ ଆଣିଛନ୍ତି ।

ବ୍ୟକ୍ତି ଜଣଙ୍କ ଝୁଲି ରହିଥିବା ହେଲିକପ୍ଟରଟି ଆମେରିକାର ସେନାର ବ୍ଲାକ ହକ୍ ହେଲିକପ୍ଟର । ଆଫଗାନିସ୍ତାନ ସାମ୍ବାଦିକଙ୍କ ଅନୁସାରେ, ତାଲିବାନ ବ୍ୟକ୍ତି ଜଣଙ୍କୁ ହତ୍ୟା କରି ଝୁଲାଇ ନାହାଁନ୍ତି । ବରଂ ଆକାଶ ମାର୍ଗରୁ ପତାକା ଲଗାଇବା ଲାଗି ହେଲିକପ୍ଟରର ସାହାରା ନିଆଯାଇଛି । ତେବେ ଏଭଳି ପ୍ରୟାସ ବିଫଳ ହୋଇଛି । ହେଲିକପ୍ଟର ଉଡ଼ାଉଥିବା ପାଇଲଟ ଆମେରିକା ଓ ୟୁଏଇରେ ଟ୍ରେନିଂ ନେଇଥିବା ଦାବି କରିଛନ୍ତି ଆଫଗାନ ସାମ୍ବାଦିକ ।

ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ଜଣେ ତାଲିବାନ । ଭିଡିଓକୁ ଜୁମ୍ କରି ଦେଖିଲେ ବ୍ୟକ୍ତି ଜଣଙ୍କୁ ହେଲିକପ୍ଟରରେ ବାନ୍ଧି ଝୁଲାଇଥିବା ଦେଖାଯାଉଛି । ଏହି ଭିଡିଓଟି ବିମାନବନ୍ଦରର ନୁହେଁ ବରଂ କନ୍ଧାର ଗଭର୍ଣ୍ଣର ଅଫିସର, ସେଠାରେ ପତାକା ଲଗାଇବାକୁ ପ୍ରୟାସ କରାଯାଉଥିବା ସ୍ଥାନୀୟ ସାମ୍ବାଦିକ କହିଛନ୍ତି ।

Leave a Reply