ପୁରୁଣା ଆଫଗାନିସ୍ତାନ ସରକାରର ଉପରାଷ୍ଟ୍ରପତି ନିଜକୁ ପ୍ରକୃତ ରାଷ୍ଟ୍ରପତି ବୋଲି ଘୋଷଣା କଲେ

1 min read

ପଞ୍ଜଶିର(ଆଫଗାନିସ୍ତାନ) : ଆଫଗାନିସ୍ତାନର କ୍ଷମତାଚ୍ୟୁତ ଗଣତାନ୍ତ୍ରିକ ସରକାରର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁହ୍ଲା ସଲେହ ନିଜକୁ ଦେଶର ପ୍ରକୃତ ରାଷ୍ଟ୍ରପତି ବୋଲି ଦାବି କରିଛନ୍ତି । ସମ୍ବିଧାନର ଦ୍ୱାହି ଦେଇ ସେ ନିଜକୁ ଦେଶର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ଏକ ଟ୍ୱିଟ୍ କରି ସଲେହ ସାମ୍ବିଧାନିକ ପ୍ରାବଧାନ ଅନୁସାରେ ବର୍ତ୍ତମାନ ସେ ଦେଶର କାମଚଳା ରାଷ୍ଟ୍ରପତି ବୋଲି କହିଛନ୍ତି । ସମ୍ବିଧାନରେ ଥିବା ନିୟମର ଉଦାହରଣ ଦେଇ ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ କିମ୍ବା ରାଷ୍ଟ୍ରପତି ଦେଶରୁ ପଳାୟନ କଲେ,ଇସ୍ତଫା ଦେଲେ ଅଥବା ତାଙ୍କର ମୃତ୍ୟୁ ହେବା ପରିସ୍ଥିତିରେ ଦେଶର ଉପରାଷ୍ଟ୍ରପତି ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ ।

 


ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଅଶରଫ ଗନି ଦେଶ ଛାଡି ଯିବା ପରେ ଦେଶବାସୀଙ୍କ ଧନଜୀବନର ସୁରକ୍ଷା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କଥା କହିଥିଲେ । ସେତେବେଳ ସାଲେହ ଦେଶ ଛାଡି ଯିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ । ଏବେ ସାଲେହ ପଞ୍ଜଶିର ଘାଟିରେ ଥିବା ଜଣା ପଡିଛି । ପଞ୍ଜଶିର ଘାଟି ଏପର୍ଯ୍ୟନ୍ତ ତାଲିବାନ କବଜାକୁ ଆସିନାହିଁ । ତାଲିବାନ ଏହାକୁ ନିଜ ଦଖଲକୁ ନେବାକୁ ଉଦ୍ୟମ ଜାରି ରଖିଛି । ପଞ୍ଜଶିର ପୂର୍ବତନ ମୁଜାହିଦ୍ଦିନ କମାଣ୍ଡର ଅହମ୍ମଦ ଶାହ ମାସୁଦଙ୍କ ଗଡ ଥିଲା । ଏହି ଘାଟିକୁ ୧୯୮୦ରେ ସୋଭିଏତ ଋଷ ଦଖଲ କରି ପାରିନଥିଲା କି ୧୯୯୬ରେ ତାଲିବାନା । କାବୁଲଠାରୁ ୧୫୦ କିଲୋମିଟର ଦୁରରେ ଥିବା ପଞ୍ଜଶିର ଘାଟି ପ୍ରାକୃତିକ ଭାବେ ଅପହଂଚ ।

୨୦୦୧ ୱାର୍ଲଡ ଟ୍ରେଡ୍ ସେଣ୍ଟର ଉପରେ ଅଲକାଏଦା ଆକ୍ରମଣର ଦୁଇ ଦିନ ପୂର୍ବରୁ ତାଲିବାନ ଅହମ୍ମଦ ଶାହା ମାସୁଦଙ୍କ ହତ୍ୟା କରିଥିଲା । ଏବେ ପଞ୍ଜଶିରକୁ ଅହମ୍ମଦ ଶାହା ମାସୁଦଙ୍କ ପୁଅ ନିୟନ୍ତ୍ରଣ କରୁଛନ୍ତି । ସାଲେହ ମାସୁଦଙ୍କ ପୁରୁଣା ସହଯୋଗୀ ଥିଲେ । ମାସୁଦଙ୍କ ପୁଅ ସହିତ ମିଶି ସେ ତାଲିବାନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ।
ଅନ୍ୟପକ୍ଷରେ ସାଲେହ କହିଛନ୍ତି ଯେ, ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନେଇ ଆମେରିକା ରାଷ୍ଟ୍ରପତିଙ୍କ ସହିତ ଯୁକ୍ତି କରିବାର କୌଣସି ଯଥାର୍ଥତା ନାହିଁ । ଆମକୁ ନିଜକୁ ସଂଗଠିତ କରି ଲଢେଇ କରିବାକୁ ପଡିବ ।

Leave a Reply