ଭାରତରେ ନିଜ କାର୍ଯ୍ୟକଳାପ ଅନ୍ତ କଲା ଆଫଗାନିସ୍ତାନ ଦୂତାବାସୀ

1 min read

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ସମ୍ପର୍କ କ୍ଷେତ୍ରରେ ପୁଣି ଝଟକା । ଭାରତରେ ନିଜର କାର୍ଯ୍ୟକଳାପର ଅନ୍ତ ଘଟାଇଲା ଆଫଗାନିସ୍ତାନ । ଭାରତ ସ୍ଥିତ ଆଫଗାନିସ୍ତାନ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦୂତାବାସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- ଗଭୀର ଦୁଃଖ, ଅନୁତାପ ଓ ଅବ୍ୟବସ୍ଥିତ ଭାବେ ଏହା କହିବାକୁ ପଡୁଛି ଯେ ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନ ଦୂତାବାସ ନିଜର କାର୍ଯ୍ୟକଳାପର ଅନ୍ତ ଘଟାଇଲା । ଭାରତ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମର୍ଥନର ଅଭାବ, ଆଫଗାନିସ୍ତାନର ସ୍ବାର୍ଥ ପୂରଣ ଦିଗରେ ବିଫଳତା, କାରଣରୁ ଭାରତରେ କାର୍ଯ୍ୟ କରିବା ସମ୍ଭବ ନୁହେଁ ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦୀର୍ଘ ବର୍ଷର ସମ୍ପର୍କ ଥିବାବେଳେ ଦୂତାବାସର ଏହି ନିଷ୍ପତ୍ତି ଚିନ୍ତା ସୃଷ୍ଟି କରିଛି । ଦୂତାବାସ ପକ୍ଷରୁ ଆହୁରି କୁହାଯାଇଛି- ଭାରତ ପକ୍ଷରୁ କୂଟନୈତିକ ସମର୍ଥନ ଦିଆଯାଉ ନଥିବାବେଳେ କାବୁଲରେ ସରକାର ପରିଚାଳନା କରିବା କଷ୍ଟସାଧ୍ଯ ହୋଇଛି । ଉପଯୁକ୍ତ ସଂଖ୍ୟକ କର୍ମଚାରୀ ଓ ସମ୍ବଳର ଅଭାବ, ଭିସା ନବୀକରଣରେ ସମୟାନୁବର୍ତ୍ତିତା ଓ ସମର୍ଥନର ଅଭାବ ଆଦି କାରଣରୁ ନୂଆଦିଲ୍ଲୀରେ ଦୂତାବାସ ପରିଚାଳନା କରିବା ସମ୍ଭବ ନୁହେଁ । ତେବେ ଆଫଗାନ ନାଗରିକଙ୍କ ଲାଗି ଜରୁରୀକାଳୀନ ଦୂତାବାସ ସମ୍ପର୍କିତ ସେବା ଜାରି ରହିବ ।

ନୂଆଦିଲ୍ଲୀରେ ଅବସ୍ଥାପିତ ଆଫଗାନ ରାଷ୍ଟ୍ରଦୂତ ଓ ଅନ୍ଯ କେତେକ ବରିଷ୍ଠ କୂଟନୀତିଜ୍ଞଙ୍କ ସମେତ ମୋଟ ୫ ଜଣ ଅଧିକାରୀ ଦୂତାବାସ ପରିତ୍ୟାଗ କରି ୟୁରୋପ ଓ ଆମେରିକା ଚାଲିଯିବା ସହ ସେଠାରେ ଆଶ୍ରୟ ନେବା ପରଠାରୁ ଏହି ବିବାଦ ବଢିଥିଲା । ଦୂତାବାସକୁ ବନ୍ଦ କରିଦିଆଯିବା ନେଇ ଭାରତର ବୈଦେଶିକ ମନ୍ତ୍ରାଳୟକୁ ଅବଗତ କରାଯାଇଛି ବୋଲି କହିଛନ୍ତି ଦୂତାବାସ କର୍ତ୍ତୃପକ୍ଷ ।

ଏହାସହ ଆଫଗାନିସ୍ତାନର କୂଟନୈତିକ ସ୍ତରରେ ବିବାଦ ଜାରି ରହିଛି ବୋଲି ଭାରତ ଯେଉଁ ଅଭିଯୋଗ କରିଥିଲା ତାହାକୁ ଖଣ୍ଡନ କରାଯାଇଛି । ଗତ ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରତିଷ୍ଠା ପରଠାରୁ ସେଠାରେ ଭାରତ ନିଜର ଦୂତାବାସକୁ ବନ୍ଦ କରିଦେଇଥିଲା । ତେବେ ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କ ଦ୍ବାରା ପ୍ରେରିତ ରାଷ୍ଟ୍ରଦୂତ ଫରିଦ ମାମୁନ୍ଦଜେ ଓ ଅନ୍ୟ କର୍ମଚାରୀଙ୍କୁ ନୂଆଦିଲ୍ଲୀସ୍ଥିତ ଆଫଗାନ ଦୂତାବାସରେ ରହିବା ଲାଗି ଭାରତ ଅନୁମତି ଦେଇଥିଲା ।