ଆଫଗାନିସ୍ତାନରେ ପୁଣି ସ୍କୁଲ ଯିବେ ଛାତ୍ରୀ

1 min read

ତାଲିବାନ : ତାଲିବାନରେ ଝିଅଙ୍କୁ ପାଠ ପଢ଼ିବାକୁ ଅନୁମତି । ପ୍ରଥମରୁ ଷଷ୍ଠ ପର୍ଯ୍ୟନ୍ତ ଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ସବୁ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛି ତାଲିବାନ ଶିକ୍ଷା ବିଭାଗ । ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକରେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାକୁ ଶିକ୍ଷା ମନ୍ତ୍ରାଳୟ ନୋଟିସ ଜାରି କରିଛି ।

ଛାତ୍ରୀଙ୍କ ପାଠପଢ଼ା ବ୍ୟାନକୁ ନେଇ ତାଲିବାନକୁ ବିଭିନ୍ନ ଆଡୁ ସମାଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପୂର୍ବରୁ ମହିଳାଙ୍କ ଶିକ୍ଷାକୁ ନେଇ ତାଲିବାନ ପକ୍ଷରୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର କିଛି ମାସ ପରେ ମହିଳାଙ୍କ ଶିକ୍ଷା ବନ୍ଦ ପାଇଁ ତାଲିବାନ ସରକାର ନୋଟିସ ଜାରି କରିଥିଲେ । ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟକୁ ଏ ନେଇ ଚିଠି ଲେଖାଯାଇଥିଲା ।

ତେବେ G-7 ଗ୍ରୁପ ଓ ୟୁରୋପିଆନ ୟୁନିଅନ ଏହାକୁ ମାନବିକତାର ହତ୍ୟା କହି ତାଲିବାନକୁ ସମାଲୋଚନା କରିଥିଲେ । ଏହାଛଡ଼ା ତୁର୍କୀ, କତାର, ପାକିସ୍ତାନ ଭଳି ମୁସଲିମ ରାଷ୍ଟ୍ର ମଧ୍ୟ ତାଲିବାନ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ । ଯହାପରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ତାଲିବାନ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତେବେ ପାର୍କ, ଜିମ ଆଦି ସ୍ଥାନରେ ବି ମହିଳାଙ୍କ ଯିବା ଆସିବା ଉପରେ ତାଲିବାନ କଟକଣା ଲଗାଇଛି ।