ଭାରତରେ ରହୁଥିବା କାନାଡା ନାଗରିକଙ୍କ ପାଇଁ ଆଡଭାଇଜ ଜାରି

ନନ୍ଦିଘୋଷ ବ୍ୟୁରୋ : ଭାରତରେ ରହୁଥିବା ନିଜ ଦେଶର ନାଗରିକମାନଙ୍କ ଲାଗି ଆଡଭାଇଜରୀ ଜାରି କରିଛନ୍ତି କାନାଡା ସରକାର । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରର ହତ୍ଯା ଘଟଣାରେ ଭାରତର ସନ୍ଦିଗ୍ଧ ସମ୍ପୃକ୍ତିକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ବୟାନ ଦେବା ପରେ ଭାରତ ଓ କାନାଡା ମଧ୍ଯରେ ସମ୍ପର୍କ ତିକ୍ତ ହେଉଥିବାରୁ ଏହି ଆଡଭାଇଜରୀ ଜାରି କରାଯାଇଛି । ଦେଶବ୍ଯାପୀ ଆତଙ୍କୀ ହମଲା ହେବା ଆଶଙ୍କା ଥିବାରୁ ଏଥିପ୍ରତି ସମ୍ପୂର୍ଣ୍ଣ ସଜାଗ ରହିବା ଲାଗି ପରାମର୍ଶ ଦିଆଯାଇଛି । ବିନା କାରଣରେ ଯାତ୍ରା ନ କରିବାକୁ କୁହାଯାଇଛି । ଏହା ସହ ଆତଙ୍କବାଦ ଘଟଣାବହୁଳ ଜାମ୍ମୁ ଓ କାଶ୍ମୀର ଓ ଲଦାଖକୁ ନ ଯିବା ଲାଗି ବି ଆଡଭାଇଜରୀରେ ଦର୍ଶାଯାଇଛି । ଗତ 19 ତାରିଖରେ କାନାଡା ସରକାର ସେଠାରେ ଅବସ୍ଥାପିତ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ବିଙ୍ଗର ମୁଖ୍ଯ ପବନ କୁମାର ରାଏଙ୍କୁ ବହିଷ୍କାର କରିଥିଲେ । ଜବାବରେ ଭାରତରେ ଅବସ୍ଥାପିତ କାନାଡାର ବରିଷ୍ଠ କୂଟନୀତିଜ୍ଞ ଓଲିଭର ସିଲଭେଷ୍ଟରଙ୍କୁ ବହିଷ୍କାର କରିଥିଲେ । ସେପଟେ ହରଦୀପ ସିଂ ନିଜାର ହତ୍ଯା ଘଟଣାରେ ଭାରତ ସରକାର ଗୁରୁତ୍ବର ସହ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଟ୍ରୁଡୁ ।Highly complementary economies': Indian F&B firms urged to pursue lucrative Canadian food trade opportunities

ଗତ ସେପ୍ଟେମ୍ବର 19ରେ ଟ୍ରୁଡୁ କାନାଡା ପାର୍ଲାମେଣ୍ଟରେ ବୟାନ ଦେଇଥିଲେ ଯେ ହରଦୀପ ହତ୍ଯା ଘଟଣାରେ ଭାରତର ସମ୍ପୃକ୍ତି ରହିଛି । ହରଦୀପ ସିଂ ହେଉଛି ଖଲିସ୍ତାନ ଟାଇଗର ଫୋର୍ସର ମୁଖ୍ଯ ଓ କାନାଡା ନାଗରିକ ।  2007 ଲୁଧିଆନା ବିସ୍ଫୋରଣ ଘଟଣାରେ ସେ ମୁଖ୍ଯ ଅଭିଯୁକ୍ତ ଥିଲା । ଏହି ଘଟଣାରେ ପ୍ରାଣ ହରାଇଥିଲେ 6 ଜଣ, ଆହତ ହୋଇଥିଲେ 42 ଜଣ । ତାକୁ ଭାରତ ହାତରେ ପ୍ରତ୍ଯର୍ପଣ କରିବା ଲାଗି କାନାଡା ନିକଟରେ ଭାରତ ବାରମ୍ବାର ଦାବି କରିଆସିଥିଲା । 2020ରେ ହରଦୀପକୁ ଜଣେ ଆତଙ୍କବାଦୀ ବୋଲି ବିଧିବଦ୍ଧ ଘୋଷଣା କରିଥିଲା ଭାରତ । ଗତ 2023 ଜୁନ 18ରେ କାନାଡାର ବ୍ରିଟିଶ କଲମ୍ବିଆର ସୁରେ ସହର ଅନ୍ତର୍ଗତ ଏକ ଗୁରୁଦ୍ବାରାରେ ଅଜଣା ଦୁର୍ବୃତ୍ତ ହରଦୀପକୁ ଗୁଳି କରି ହତ୍ଯା କରିଥିଲେ ।