୯୩ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଦିଆଯାଇଛି ଆଗୁଆ ଚାଉଳ: ବାଗଚୀ
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନିଜ ନିଜ ସ୍ତରରେ ଚେଷ୍ଟା ଚଳାଇଛନ୍ତି । କରୋନା ମୁକାବିଲା ସମ୍ପର୍କିତ ଯୋଗାଣ କମିଟି ପକ୍ଷରୁ ବିଭିନ୍ନ ରାଜ୍ୟରୁ ପନିପରିବା ଆମଦାନୀ ଉପରେ ନଜର ରଖାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯେଭଳି ପ୍ରଭାବିତ ନହୁଏ, ତାହା ପ୍ରାଥମିକତା । ସଂକ୍ରମଣକୁ ରୋକିବାକୁ ପରିବା ବଜାରର ବିକେନ୍ଦ୍ରୀକରଣ କରାଯାଇଛି ।
୯୩ ଲକ୍ଷ ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଗୁଆ ଚାଉଳ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୯ ଲକ୍ଷ ୫୦ ହଜାର ଲୋକଙ୍କୁ ମିଳିଛି ୨.୪୨ ଲକ୍ଷ ମେଟ୍ରିକ ଟନ ଚାଉଳ ଓ ୭୪୫ ମେଟ୍ରିକ ଟନ ଡାଲି । ସେହିଭଳି ୧୭ଟି ଜିଲ୍ଲାରେ ରବି ଧାନ ଅମଳ ଓ ୧୬ଟି ଜିଲ୍ଲାରେ ଡାଲି ଓ ସୂର୍ଯ୍ୟମୁଖୀ ଅମଳ ଉପରେ କାର୍ଯ୍ୟ କରୁଛି କୃଷି ବିଭାଗ ।
ମାଛ, ମାଂସ ଓ ଅଣ୍ଡା ଉତ୍ପାଦନ ଓ ବଜାର ସୁବିଧା ମଧ୍ୟ ସୃଷ୍ଟି ହୋଇଛି । ଉଦ୍ୟାନକୃଷି ବିଭାଗର ୱେବ ପୋର୍ଟାଲରେ ୫୦୦ ବ୍ୟବସାୟୀ ଓ ୪୦୦ ଚାଷୀ ପଞ୍ଜୀକରଣ କରି ୩ହଜାର କ୍ୱିଣ୍ଟାଲ ପନିପରିବା ବିକ୍ରି କରିପାରିଛନ୍ତି । ଆମ କୃଷି ହେଲ୍ପଲାଇନ ସହ ଯୋଗାଯୋଗ କରି ୭୯୬ଜଣ ଚାଷୀ ସେମାନଙ୍କ ସମସ୍ୟାର ସମାଧାନ କରିଛନ୍ତି । ବିହନ ପ୍ରକ୍ରିୟାକରଣ, ପୋଖରୀ ଖନନ, ମନରେଗା କାର୍ଯ୍ୟକ୍ରମ ସହ କାଜୁ ଉତ୍ପାଦନ ଦିଗରେ ମଧ୍ୟ ବିଭାଗଗୁଡିକ କାର୍ଯ୍ୟ କରୁଛନ୍ତି ।