ଖରାଦିନିଆ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ଆଗୁଆ ପ୍ରସ୍ତୁତି, ମ୍ୟାନ୍, ମନି ମେସିନକୁ ଗୁରୁତ୍ବ

1 min read

ଭୁବନେଶ୍ୱର: ମେ’ ମାସରେ ତାଣ୍ଡବ ରଚୁଛି ବାତ୍ୟା। ଚଳିତ ବର୍ଷ ମେ’ ମାସରେ ବାତ୍ୟା ନେଇ ଏଯାଏଁ ସୂଚନା ନାହିଁ। ହେଲେ ଖରାଦିନିଆ ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ମ୍ୟାନ୍, ମେସିନାରୀ ଓ ମନି ଟ୍ରିପଲ ଏମ୍ ମନ୍ତ୍ରକୁ ଦିଆଯାଇଛି ଗୁରୁତ୍ବ । ପ୍ରତି ବିଭାଗର ମାନବ ସମ୍ବଳକୁ ନେଇ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି କରାଯିବ । ସମସ୍ତ ଉପକରଣ ପାଇଁ ମେସିନାରି ବ୍ୟବହାରକୁ ଗୁରୁତ୍ବ ଦିଆଯିବ । ମୁଖ୍ୟତଃ ବାତ୍ୟା ମୁକାବିଲା ପାଇଁ ସବୁ ବିଭାଗକୁ ପର୍ଯ୍ୟାପ୍ତ ଅର୍ଥ ବି ପ୍ରଦାନ କରାଯାଇଛି । ଏହାକୁ ନେଇ ମେ ପହିଲାରୁ ରାଜସ୍ବ ବିଭାଗ ଓ ଜିଲ୍ଳାମାନଙ୍କରେ ପ୍ରଥମ ଣ୍ରେଣୀ ଅଧିକାରୀଙ୍କ ତତ୍ତ୍ବାବଧାନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଚାଲୁ କରାଯିବ। ପ୍ରତିବର୍ଷ ପରି ମେ’ ୧୮ ଓ ୧୯ ତାରିଖରେ ଜିଲ୍ଲା ସଦର ମହକୁମା, ବହୁମୁଖୀ ଆଶ୍ରୟସ୍ଥଳୀ, ବ୍ଲକସ୍ତରରେ ଟେବୁଲ ଟପ୍ ଏକ୍ସରସାଇଜ ଓ ମକ୍ ଡ୍ରିଲ୍ କରାଯିବ।

ବାତ୍ୟା ସମୟରେ ଟେଲିକମ୍ ସିଷ୍ଟମକୁ କାର୍ଯ୍ୟକ୍ଷମ ରଖିବା ପାଇଁ ବିଏସଏନଏଲ୍ ଓ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ଦାୟିତ୍ବ ଦିଆଯାଇଛି । ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଆଗୁଆ ମୋବାଇଲ୍ ଟାଓ୍ବାର ଲଗାଯିବ। ପାରାଦୀପ ଓ ଗୋପାଳପୁରରେ ଡୋପଲାର ରାଡାର ସାଇକ୍ଲୋନ୍ ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନରେ ସହାୟକ ହେବ । ୩୧୭ଟି ଫାୟାର ଷ୍ଟେସନରେ ଆବଶ୍ୟକ ସନ୍ଧାନ ଓ ଉଦ୍ଧାର ଉପକରଣ ଏବଂ ଉଦ୍ଧାରକାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ଅଧିକାରୀ ରହିଛନ୍ତି । ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅଧିକ ଫୋକସ୍ ଦେବେ ଜିଲ୍ଲାପାଳ ।

ସମ୍ଭାବ୍ୟ ବାତ୍ୟା ପ୍ରବଣ ଅଞ୍ଚଳର ସେଲଫୋନ୍ ଗ୍ରାହକଙ୍କୁ ଭଏସ୍ ମେସେଜ୍ ସହିତ SMS ମାଧ୍ୟମରେ ସାଇକ୍ଲୋନ୍ ଚେତାବନୀ ଏବଂ IMDର ଆଲର୍ଟ ମେସେଜ୍ ପଠାଇବାକୁ BSNLକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସତର୍କ ଆପ୍ ବି କାମ କରିବ। ରାଜ୍ୟରେ ୩୪୨ଟି ଆଞ୍ଚଳିକ ଅଗ୍ନିଶମସେବା ବାହିନୀ ଯେକୌଣସି ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । NDRF ତୃତୀୟ ବାଟାଲିୟନରେ ୧୭ଟି ଟିମ୍ ସନ୍ଧାନ ଏବଂ ଉଦ୍ଧାରକାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି । ୧୬ଟି ଟିମ୍ ମୁଣ୍ଡଳୀରେ ଏବଂ ଗୋଟିଏ ଟିମ୍ ବାଲେଶ୍ୱରରେ ଅଛନ୍ତି । ଏମାନେ OSDMA ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ୮୭୯ଟି ବହୁମୁଖୀ ବାତ୍ୟା ତଥା ବନ୍ୟା ଆଶ୍ରୟସ୍ଥଳୀ ଲୋକଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ବ୍ୟବହାର କରାଯାଉଛି । ଆଶ୍ରୟସ୍ଥଳୀମାନଙ୍କରେ ଯାଞ୍ଚ କରି ସଚଳ ଟାୱାର ଲାଇଟ୍ ତାଲିକା ପ୍ରସ୍ତୁତ କରିବାକୁ OSDMAକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ପରବର୍ତ୍ତୀ ବନ୍ୟାରେ ଜଳ ନିଷ୍କାସନ ଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଶୀଘ୍ର ବିଦ୍ୟୁତ୍ ଯୋଗାଣ ପୁନଃରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବର୍ଷା ଋତୁ ପୂର୍ବରୁ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଆଗୁଆ ଖାଦ୍ୟ ସାମଗ୍ରୀ ଏବଂ PDS ଦ୍ରବ୍ୟ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପେଟ୍ରୋଲ ପମ୍ପ ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ମହଜୁଦ୍ ରଖାଯିବ। ସରକାରୀ ବିଭାଗର ନୋଡାଲ ଅଫିସରଙ୍କ ମୋବାଇଲ୍, ହ୍ବାଟସଆପ୍ ନମ୍ବର ଓ ଟେଲିଫୋନ୍ ନମ୍ବର ଏସଆରସିଙ୍କ କାର୍ଯ୍ୟାଳୟକୁ ଏପ୍ରିଲ୍ ଶେଷ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।