ଦେଶରେ ୧୨ ପ୍ରତିଶତ ସାଂସଦ ଅରବପତି, ଏହି ରାଜ୍ୟର ଅଧିକ ସାଂସଦ ଅରବପତି ତାଲିକାରେ

ନୂଆଦିଲ୍ଲୀ: ଦେଶରେ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ ଅରବପତି । ଲିଷ୍ଟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଏମପିଙ୍କ ନାମ ସର୍ବାଧିକ ରହିଛି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ଏବଂ ନ୍ୟାସନାଲ ଇଲେକ୍ସନ ୱାଚ ୨୩୩ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ୨୨୫ ଜଣଙ୍କର ଆପରାଧିକ, ଆର୍ଥିକ ଏବଂ ଅନ୍ୟାନ୍ୟ ପୃଷ୍ଠଭୂମିର ତଥ୍ୟ ପ୍ରକାଶ କରିଛି ।

ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ୧୧ଜଣ ଏମପିଙ୍କ ମଧ୍ୟରୁ ପାଞ୍ଚ ଜଣ, ତେଲେଙ୍ଗାନାର ସାତଜଣ ଏମପିଙ୍କ ୩ ଜଣ, ମହାରାଷ୍ଟ୍ରର ୧୯ ଜଣ ଏମପିଙ୍କ ମଧ୍ୟରୁ ୧୬ ଜଣ, ଦିଲ୍ଲୀର ତିନିଜଣ ଏମପିଙ୍କ ମଧ୍ୟରୁ ଜଣେ, ପଞ୍ଜାବର ୭ଜଣ ଏମପିଙ୍କ ମଧ୍ୟରୁ ଦୁଇଜଣ, ହରିୟାଣାର ପାଞ୍ଚଜଣ ଏମପିଙ୍କ ମଧ୍ୟରୁ ଜଣେ ଏବଂ ମଧ୍ୟପ୍ରଦେଶର ୧୧ ଜଣ ଏମପିଙ୍କ ମଧ୍ୟରୁ ୨ଜଣ ନିଜ ସମ୍ପତ୍ତିର ମୂଲ୍ୟ ୧୦୦ କୋଟିରୁ ଅଧିକ ବୋଲି ଘୋଷଣା କରିଛନ୍ତି ।

ତେଲେଙ୍ଗାନାର ସାତଜଣ ଏମପିଙ୍କ ମୋଟ ସମ୍ପତ୍ତି ୫ ହଜାର ୫୯୬କୋଟି ଟଙ୍କା ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ୧୧ ଜଣ ଏମପିଙ୍କ ସମ୍ପତ୍ତି ୩ ହଜାର ୮୨୩ କୋଟି । ସେହିପରି ଉତ୍ତରପ୍ରଦେଶର ୩୦ଜଣ ଏମପିଙ୍କ ମୋଟ ସମ୍ପତ୍ତି ୧୯୪୧ କୋଟି ଟଙ୍କା ରହିଛି । ୨୨୫ଜଣ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ୭୫ଜଣଙ୍କର ବିରୋଧରେ ଅପରାଧିକ ମାମଲା ରହିଛି ।

ପ୍ରାୟ ୪୧ଜଣ ଏମପିଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ରହିଛି । ସେଥିମଧ୍ୟରୁ ଦୁଇ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।