PDF ଜନକଙ୍କ ମୃତ୍ୟୁ,୮୧ ବର୍ଷରେ ଦୁନିଆକୁ ଅଲବିଦା କହିଲେ ଚାର୍ଲସ ଗେସ୍କି
1 min readଲସଏଞ୍ଜଲସ: ସଫ୍ଟୱେୟାର କମ୍ପାନୀ ଆଡୋବର ସହ ପ୍ରତିଷ୍ଠାତା ଓ ପୋର୍ଟେବଲ ଡକ୍ୟୁମେଣ୍ଟ୍ ଫର୍ମାଟ୍ ବା PDF ଟେକନିକ ଉଦ୍ଦଭାବକ ଚାର୍ଲସ ‘ଚକ’ ଗେସ୍କିଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଆଡୋବ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗେସ୍କିଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଛି ।
ଆଡୋବ ସିଇଓ ଶାନ୍ତନୁ ନାରାୟଣ କମ୍ପାନୀ କର୍ମଚାରୀଙ୍କୁ ପଠାଇଥିବା ଇମେଲରେ ଲେଖିଛନ୍ତି ଯେ, ଏହା ଆଡୋବ ଓ ସୂଚନା ପ୍ରଯୁକ୍ତି ଜଗତ ପାଇଁ ଏକ ବଡ କ୍ଷତି । ସେ ଦଶକ ଦଶକ ଧରି ମାର୍ଗଦର୍ଶକ ଓ ନାୟକ ଭାବେ ରହିଥିଲେ । ଆଡୋବର ସହ ପ୍ରତିଷ୍ଠାତା ଭାବେ ଚକ୍ ଓ ଜନ୍ ୱାରନକ୍ ଏକ ଯୁଗାନ୍ତକାରୀ ସଫ୍ଟୱେୟାର ତିଆରି କରିଥିଲେ,ଯାହା ଲୋକଙ୍କ ଯୋଗାଯୋଗ କରିବାର ଉପାୟକୁ ବଦଳାଇ ଦେଇଥିଲା ।
ସେ କହିଛନ୍ତି ଯେ, ଚକ୍ କମ୍ପାନୀ ପାଇଁ ଅଥକ ପ୍ରୟାସ କରିଥିଲେ । ଯାହାର ପରିଣାମ ସ୍ୱରୁପ ପିଡିଏଫ୍,ଏକ୍ରୋବେଟ୍,ଇଲଷ୍ଟ୍ରେଟର,ପ୍ରିମିୟର ପ୍ରୋ ଓ ଫଟୋସପ୍ ଭଳି ଯୁଗାନ୍ତକାରୀ ସଫ୍ଟୱେୟାର ବିକଶିତ ହୋଇ ପାରିଥିଲା । ୨୦୦୯ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ଗେସ୍କି ଓ ୱାରନକଙ୍କୁ ମେଡାଲ ଅଫ୍ ଟେକ୍ନୋଲୋଜି ସମ୍ମାନରେ ସମ୍ମାନିତ କରିଥିଲେ ।
୧୯୯୧ ମସିହାରେ ଗେସ୍କିଙ୍କ ଅପହରଣ ହୋଇଥିଲା । ଅଫିସ ଯାଉଥିବା ବେଳେ ତାଙ୍କୁ ଦୁଇ ଜଣ ବ୍ୟକ୍ତି ବନ୍ଧୁକ ଦେଖାଇ ଅପହରଣ କରି ନେଇଥିଲେ । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ପଣବନ୍ଦୀ ଟଙ୍କା ସହିତ ଗିରଫ କରିଥିଲା ।