ଜେଏନୟୁ, ଡିୟୁ ସମେତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବଦଳିଲା ଆଡମିଶନ ନିୟମ

1 min read

ନୂଆଦିଲ୍ଲୀ: ଜେଏନୟୁ, ଡିୟୁ ସମେତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବଦଳିଲା ଆଡମିଶନ ନିୟମ । ଏଣିକି କମନ ଏଣ୍ଟ୍ରାନ୍ସ ଟେଷ୍ଟ କରାଯାଇ ଛାତ୍ରଛାତ୍ରୀଙ୍କୁ ମିଳିବ ଆଡମିଶନ । ଦ୍ୱାଦଶ ପରୀକ୍ଷା ମାର୍କିଂ ଆଧାରରେ ଆଉ ଏଣିକି କଟ୍ ଅଫ୍ ମାର୍କ ପ୍ରକାଶ ପାଇବ ନାହିଁ । ଏନେଇ ୟୁଜିସି ଅଧ୍ୟକ୍ଷ ଘୋଷଣା କରିଛନ୍ତି । ବିଏ ଓ ପୋଷ୍ଟଗ୍ରାଜୁଏଟରେ ଆଡମିଶନ ପାଇଁ ଏଣିକି ବିଶ୍ବବିଦ୍ୟାଳୟରେ ମିଳିତ ପ୍ରବେଶିକା ପରୀକ୍ଷା କରାଯିବ । ଏଥିରେ ଉତ୍ତୀର୍ଣ୍ଣ ରାଙ୍କଧାରୀଙ୍କୁ ଆଡମିଶନ ପାଇଁ ସୁଯୋଗ ମିଳିବ । ଜୁଲାଇ ପ୍ରଥମ ସପ୍ତାହରେ ପ୍ରବେଶିକା ପରୀକ୍ଷା କରାଯିବ ବୋଲି ଘୋଷଣା କରିଛନ୍ତି ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର ।

ପ୍ରବେଶିକା ପରୀକ୍ଷାରେ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ଉପରେ ପ୍ରଶ୍ନପତ୍ର ଆସିବ । ପ୍ରଶ୍ନପତ୍ର ୪ଟି ବିଭାଗରେ ଆସିବ । ସେକ୍ସନ-୧ଏ, ସେକ୍ସନ-୧ବି, ସାଧାରଣ ଟେଷ୍ଟ ଏବଂ ପାଠ୍ୟକ୍ରମ ବିଭାଗ ଏମିତି ୪ଟି ବିଭାଗରେ ପ୍ରଶ୍ନପତ୍ର ଆସିବ । ସେକ୍ସନ-୧ଏ’ରେ ୧୩ଟି ଭାଷାରେ ପ୍ରଶ୍ନପତ୍ର ଆସିବ । ଯେଉଁଥିରେ ଓଡ଼ିଆ ମଧ୍ୟ ରହିଛି । ନୂଆ ଆଡମିଶନ ନିୟମ ଦ୍ୱାରା ସଂରକ୍ଷଣ ନିୟମ ପ୍ରଭାବିତ ହେବନାହିଁ କି କାଉନସେଲିଂର ଆବଶ୍ୟକତା ରହିବ ନାହିଁ ।