ବାଣ ଫୁଟାଇଲା ପ୍ରଶାସନ ; ଥରିଲା ୬ଟି ଗାଁ

ବାଲେଶ୍ବର : ବାଣ ଫୁଟାଇଲା ପ୍ରଶାସନ। ଥରିଲା ୬ଟି ଗାଁ। ଏତେ ବାଣ ଫୁଟାଇଲା ଯେ ଘରଦ୍ଵାର ଭାଙ୍ଗି ଯାଇଛି ଏବଂ କାନ୍ଥ ଫାଟି ଯାଇଛି । ଲୋକେ ଭୟରେ ଘର ଛାଡ଼ି ବାହାରକୁ ବାହାରି ଆସିଲେ । ଦୌଡ଼ାଦୌଡ଼ିରେ କେତେକ ଲୋକ ତଳେ ପଡ଼ି ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ସୋର ବ୍ଲକ ତଳନଗର ପଞ୍ଚାୟତରେ । ଅଭିଯୋଗ ଅନୁସାରେ ଦୀପାବଳି ଆଗରୁ ବିଭିନ୍ନ ସ୍ଥାନରୁ ପ୍ରଶାସନ ବିପୁଳ ବାଣ ଜବତ କରିଥିଲା । ତାକୁ ନଷ୍ଟ କରିବା ପାଇଁ ଗାତ ଖୋଳି ସେହି ବାଣରେ ନିଆଁ ଲଗାଇ ଦିଆଯାଇଥିଲା । ଏତେ ବାଣ ଥିଲା ଯେ ତାହା ବୋମା ପରି ବିସ୍ଫୋରଣ ହୋଇଛି ।
ଆଖପାଖର ୬ଟି ଗାଁ ସାଲମପୁର, ଅସ୍ତବାଙ୍କ, ସୁନାରୀ, ତଳନଗର, ସବିରା, ରାଧିକାନଗର କ୍ଷତିଗ୍ରସ୍ତ ହୋଇଛି । ଏ ସଂପର୍କରେ କିଛି ପରିବାର ଥାନାରେ ଅଭଯୋଗ କରିଛନ୍ତି । ପ୍ରଶାସନର ଅପରିଣାମଦର୍ଶୀ କାମ ଯୋଗୁଁ ସେହି ଅଞ୍ଚଳରେ କୋକୁଆ ଭୟ ହେବା ସହିତ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ।