ଫାଇନ୍‌ ଆଦାୟ ସହ ନର୍ସିଂହୋମ୍‌ ଓ ମଲ୍‌ ସିଲ୍‌ କଲା ପ୍ରଶାସନ

Administration sealed different nursing home and malls for violation of covid norms

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ ପରେ ଆକ୍ସନ ମୋଡ୍‌ରେ ପ୍ରଶାସନ । ବିଭିନ୍ନ ନର୍ସିଂହୋମ୍‌ ଓ ମଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚଢ଼ାଉ ପରେ ଫାଇନ୍ ଆଦାୟ ସହ ସିଲ୍‌ କରିଛି ପ୍ରଶାସନ । କଟକ, ଖୋର୍ଦ୍ଧା ଓ ଭଦ୍ରକରେ ବିଭିନ୍ନ ନର୍ସିଂ ହୋମକୁ ସିଲ୍‌ କରାଯାଇଥିବା ବେଳେ ଢେଙ୍କାନାଳରେ ମଲ୍‌ ଉପରେ ଚଢାଉ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଯାଇଛି ।

ନର୍ସିଂହୋମ୍‌ ଓ ମଲ୍‌ରେ ଚଢ଼ାଉ । ମହଙ୍ଗା ପଡ଼ିଲା କୋଭିଡ୍‌ ନିୟମ ଉଲ୍ଲଂଘନ । ସୋସିଆଲ୍‌ ଡିଷ୍ଟାନ୍ସିଂ ନମାନି ଗଣିଲେ ତଣ୍ଡ । ଫାଇନ୍‌ ଆଦାୟ ସହ ସିଲ୍‌ କଲା ପ୍ରଶାସନ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଆକ୍ସନ ମୋଡ୍‌ରେ ପ୍ରଶାସନ । ବିଭିନ୍ନ ନର୍ସିଂହୋମ୍‌ ଓ ମଲ୍‌ରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢାଉ କରିଛି । କଟକରେ କଲେଜ ଛକଠାରୁ ମଙ୍ଗଳାବାଗ ଯାଏଁ ୨୦ରୁ ଅଧିକ ନର୍ସିଂହୋମ୍ ଓ କ୍ଲିନକ୍‌ ଉପରେ ଚଢାଉ କରି ଫାଇନ୍‌ ଆଦାୟ ସହ ସିଲ୍‌ କରାଯାଇଛି । ଖୋର୍ଦ୍ଧା ଓ ଜଟଣୀରେ ମଧ୍ୟ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

ଭଦ୍ରକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୩ଟି ଟିମ୍ ଗଠନ କରି ଚଢ଼ାଉ କରାଯାଇଛି । ତେବେ, ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ରୋଗୀଙ୍କୁ ଦାୟୀ କରିଛନ୍ତି ନର୍ସିଂହୋମ୍‌ କର୍ତ୍ତୃପକ୍ଷ । ଢେଙ୍କାନାଳ ଦକ୍ଷିଣକାଳୀ ରୋଡ୍‌ରେ କୋଭିଡ୍ ନିୟମ୍ ଉଲ୍ଲଂଘନ ଅଭିଯୋଗରେ ରିଲାଏନ୍ସ ଷ୍ଟୋରକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ଅନୁମତି ନନେଇ ଏହି ମଲ୍‌ ଉଦଘାଟନ କରାଯାଉଥିଲା । ଉଦଘାଟନ ସମୟରେ ମଲ୍‌ର ଭିତରେ ଓ ବାହାରେ ଜମିଥିଲା ଲୋକଙ୍କ ଭିଡ଼ । ତେଣୁ ମଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରିଛି ପ୍ରଶାସନ ।

Leave a Reply