ବାତ୍ୟା ପାଇଁ ଆଲର୍ଟରେ ପ୍ରଶାସନ, ତୟାର ଅଛନ୍ତି ଓଡ୍ରାଫ ଓ ଅଗ୍ନିଶମ ଟିମ୍

ଭୁବନେଶ୍ୱର: ବିପଦ ଆଣିବନି ବାତ୍ୟା । ତଥାପି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଓଡ଼ିଶା । ହାଇଆଲର୍ଟରେ ରହିଛି ରାଜ୍ୟର ୧୮ ଜିଲ୍ଲାର ୨୦୯ ବ୍ଲକ । ୭୭ ସହରାଞ୍ଚଳରେ ବି ପ୍ରଶାସନ ସଜାଗ ରହିଛି । ୮ ଜିଲ୍ଲାରେ ପ୍ରସ୍ତୁତ ରହିଛି  ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ । ଆବଶ୍ୟକ ହେଲେ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ଶତାଧିକ ମାଇକ୍ରୋ ଟିମକୁ ସଜାଗ ରଖାଯାଇଛି । ବର୍ଷା ଓ ପବନ ଫଳରେ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ରାସ୍ତା ଅବରୋଧ ହେଲେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ତୁରନ୍ତ ସଫା କରିବା ଦାୟିତ୍ବରେ ଅଛନ୍ତି ।

କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେହେତୁ ଖରା ଦିନେ ବର୍ଷା ହେବ ତେଣୁ ବନ୍ୟା ହେବାର ସମ୍ଭାବନା ନାହିଁ । ତେବେ ତଳି ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିପାରେ ଏଣୁ ଏଥିପ୍ରତି ପ୍ରଶାସନ ସତର୍କ ରହିଛି । ସେହିପରି ଚାଷୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ମାଗଦର୍ଶିକା ଜାରି ହୋଇଛି । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତ୍ରରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସଜାଗ ଅଛନ୍ତି ।