ଭୁବନେଶ୍ବରରେ ବିମାନରେ ପକ୍ଷୀ ମାଡ଼ ପରେ ଆକ୍ସନ ମୋଡରେ ପ୍ରଶାସନ

1 min read

ଭୁବନେଶ୍ୱର: ରେଡ୍ ଜୋନରେ ବଢ଼ୁଛି ପକ୍ଷୀଙ୍କ ଚଳପ୍ରଚଳ । ବୃଦ୍ଧି ପାଉଛି ବିମାନ ଦୁର୍ଘଟଣା ଆଶଙ୍କା । ଚିନ୍ତା ପ୍ରକଟ କଲେ ବିମାନ ବନ୍ଦର କର୍ତ୍ତୃପକ୍ଷ । ବିମାନବନ୍ଦର ସଂଲଗ୍ନ ଅଞ୍ଚଳରେ ବ୍ୟାପକ ହେଲା ଉଚ୍ଛେଦ ଅଭିଯାନ । ଭୁବନେଶ୍ବର ବିମାନ ବନ୍ଦରରେ ଅଳ୍ପକେ ଟଳିଲା ବଡ଼ ଧରଣର ବିମାନ ଦୁର୍ଘଟଣା । ଉଡ଼ାଣ ପରେ ପକ୍ଷୀ ସହ ଧକ୍କା ଯୋଗୁଁ ଜରୁରୀ ଅବତରଣ କଲା ଏୟାର ଏସିଆର ଭୁବନେଶ୍ୱରରୁ ପୁନେ ଯାଉଥିବା E9J12E ବିମାନ । ଗୁରୁବାର ଅପରାହ୍ନରେ ଘଟିଛି ଅଘଟଣ । ବିମାନ ବନ୍ଦର ଅଞ୍ଚଳରେ ପକ୍ଷୀଙ୍କ ଅବାଧ ବିଚରଣ ଯୋଗୁଁ ବଢୁଛି ବିମାନ ଦୁର୍ଘଟଣା ଆଶଙ୍କା । ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବାରୁ ଯାତ୍ରୀଙ୍କ ସହ ସମ୍ପୃକ୍ତ ଅଞ୍ଚଳବାସୀ ଆତଙ୍କିତ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ବଢ଼ିବାରେ ଲାଗିଛି ପକ୍ଷୀଙ୍କୁ ଆକୃଷ୍ଟ କଲାଭଳି ଫୁଡଷ୍ଟଲ । ନିୟମିତ ବ୍ୟବଧାନରେ ଚଢ଼ାଉ କରି ରେଡ୍ ଜୋନ୍ ଅଂଚଳରେ କଟକଣାକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ଲୋକେ ।

ବିମାନ ବନ୍ଦର ଅଞ୍ଚଳର ସୁରକ୍ଷାରେ ଅବହେଳା ଅକ୍ଷମଣୀୟ ଅପରାଧ । ଏକ୍ଷେତ୍ରରେ ବିମାନ ବନ୍ଦର, ପୋଲିସ ଓ ବିଏମସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟରେ ଅଭାବ ଅନ୍ୟତମ କାରଣ । ପକ୍ଷୀଙ୍କୁ ଆକୃଷ୍ଟ କରିବା ଭଳି ଖାଦ୍ୟପଦାର୍ଥକୁ ବର୍ଜନ ଦ୍ବାରା ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରେ ବୋଲି କହିଛନ୍ତି ପରିବେଶବିତ୍ । ସେପଟେ ଘଟଣା ପରେ ବିଭିନ୍ନ ବିଭାଗ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନବନ୍ଦର ସଂଲଗ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଏମସି ପକ୍ଷରୁ ଜୋରଦାର ହୋଇଛି ଉଛେଦ ଅଭିଯାନ । ରେଡ୍‌ ଜୋନ ଅଞ୍ଚଳରେ ଫୁଡଷ୍ଟଲ ଓ ଖାଦ୍ୟ ବିକ୍ରିବଟା ଉପରେ ଲାଗିଛି କଟକଣା ।