ଯୁକ୍ତଦୁଇ ପରି ଦଶମ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଦାୟିତ୍ବ ନେବେ ପ୍ରଶାସନ ଓ ପୋଲିସ

ଭୁବନେଶ୍ବର: ଯୁକ୍ତ ଦୁଇ ପରି ଦଶମ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଦାୟିତ୍ବ ନେବେ ପ୍ରଶାସନ ଓ ପୋଲିସ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଅନୁରୋଧ କରାଯାଇଛି ।

ଆସନ୍ତା ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଦଶମ ପରୀକ୍ଷାର ଗୋପନୀୟ ଦସ୍ତାବିଜ୍ କଟକର ମୁଖ୍ୟାଳୟରୁ ନୋଡାଲ ସେଣ୍ଟର ଯାଏଁ ପହଞ୍ଚାଯିବ । ୩୧୪ଟି ନୋଡାଲ ସେଣ୍ଟରକୁ ଏହି ଗୋପନୀୟ ଦସ୍ତାବିଜର ସଂରକ୍ଷଣ ପାଇଁ ଚିହ୍ନଟ କରାଯାଇଛି । ସେହିପରି ଉତ୍ତର ଖାତା ବୋର୍ଡ ଅଧିକାରୀଙ୍କ ପାଖକୁ ପଠାଯିବା ସହ ସଂପୂର୍ଣ୍ଣ ପରୀକ୍ଷା ପରିଚାଳନା ଶେଷ ଯାଏଁ ଜିଲ୍ଲାପାଳ ଓ ଏସପି ସମସ୍ତ ପ୍ରକ୍ରିୟାର ତଦାରଖ କରିବେ ।

ଆସନ୍ତା ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ତେବେ ଦଶମ ଓ ଦ୍ବାଦଶ ପରୀକ୍ଷା ସରିବାର ୪୫ ଦିନରେ ପ୍ରକାଶ ପାଇବ ଫଳାଫଳ ।