ଜନଜାତିଙ୍କ ବିକାଶରେ ଲାଗି ଚାଲିଛି ବ୍ରେକ, ନବୀନ ଦେଇଥିବା ସୁବିଧା ସବୁ ବନ୍ଦ

ଭୁବନେଶ୍ବର : ଆଦିବାସୀଙ୍କୁ ସବୁ ସାହାଯ୍ୟ ସହଯୋଗ ଦେଉଥିଲେ ନବୀନ । ଆଦିବାସୀଙ୍କ ବିକାଶ ଥିଲା ନବୀନ ସରଙ୍କାର ପ୍ରମୁଖ ଲକ୍ଷ୍ୟ । ଜଙ୍ଗଲଜମି ଅଧିକାର, ଶିକ୍ଷା, ଷ୍ଟାଇପେଣ୍ଡକୁ ଦେଇଥିଲେ ଅଗ୍ରାଧିକାର । ବିଜେପି ସରକାର ଆସିଲା ପରେ ସବୁ କରିଛି ବନ୍ଦ । ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଶଂଖଭବନରେ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି ବିଜେଡି ନେତା । ନବୀନ ସରକାର ସବୁ ଜିଲ୍ଲାରେ ୬ ଲକ୍ଷରୁ ଅଧିକ ଜଙ୍ଗଲ ଜମି ଆଦିବାସୀଙ୍କୁ ଲିଜରେ ଦେଇଥିଲେ । ହେଲେ ଗତ ଏକ ବର୍ଷ ଭିତରେ ବିଜେପି ସରକାର ଏହାକୁ ବନ୍ଦ କରି ଦେଇଛନ୍ତି । ଯେଉଁ ଷ୍ଟାଇପେଣ୍ଡ ବୃଦ୍ଧି କରିଥିଲେ ନବୀନ ପଟ୍ଟନାୟକ, ତାକୁ ବି କାଟି ଦିଆଯାଇଛି । ଆଦିବାସୀଙ୍କ ସାମାଜିକ, ଅର୍ଥନୈତିକ ଉନ୍ନତି ପାଇଁ ବିଜେଡି ଦାବି ଶାଣିତ କରିଛି । ନିର୍ବାଚନ ସମୟରେ ଯେଉଁ ପ୍ରତିଶୃତି ଦେଇଥିଲା ବିଜେପି, ତାହା ଭୁଲି ଯାଇଥିବା ନେଇ ଅନୁଭବ କରିଛି ବିଜୁ ଜନତା ଦଳ । ଆଦିବାସୀ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଦିବାସୀ ଦିବସ ପାଳନ ହୋଇଥାଏ । ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆଦିବାସୀମାନଙ୍କୁ ଶିକ୍ଷିତ କରିବାକୁ ୧୭ ଜିଲ୍ଲାରେ ଅନ୍ଵେଷା ଯୋଜନା ଆରମ୍ଭ କରିଥିଲେ । ହେଲେ ବିଜେପି ସରକାର ଗତ ଦୁଇ ବର୍ଷରୁ ନାମଲେଖା ନ କରାଇ ଯୋଜନା ବନ୍ଦ କରିବାକୁ ଷଡଯନ୍ତ୍ର କରିଥିବା ବିଜେଡି ଅଭିଯୋଗ କରିଛି । ଗତ ଏକ ବର୍ଷ ଭିତରେ ଆଦିବାସୀ ଝିଅ ଦୁଷ୍କର୍ମର ଶୀକାର ହେଉଥିବାବେଳେ ଆଦିବାସୀ ବିରୋଧୀ ଅତ୍ୟାଚାର ବଢି ଚାଲିଛି । ସରକାର ସଚେତନ ନ ହେଲେ ବିରାଟ ଆଦିବାସୀ ଆନ୍ଦୋଳନର ଚେତାବନୀ ଦେଇଛି ବିଜେଡି ।
ନବୀନ ପଟ୍ଟନାୟକ ସରକାର ସମୟରେ ଆଦିବାସୀ ପାଇଥିବା ଜଙ୍ଗଲ ଜମି ଅଧିକାର ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ରାଜ୍ୟଠାରୁ ଅଧିକ । ତାଙ୍କ ସମୟରେ ତିନୋଟି ମେଡିକାଲ କଲେଜ ବିଶିଷ୍ଟ ଆଦିବାସୀ ନେତାଙ୍କ ନାଁରେ ନାମିତ କରାଯାଇଥିଲା । ହକିର ବିକାଶ ପାଇଁ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିଅମ ବିର୍ସା ମୁଣ୍ଡାଙ୍କ ନାଁରେ ରାଉରକେଲାରେ କରିଥିଲେ ନବୀନ । ଯେଉଁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଛେଦରେ ସ୍ଥାନ ଦେବାକୁ ବିଜେଡି ଦାବି କରି ଆସୁଛି, ତାକୁ ଏଯାଏଁ ପୂରଣ କରାଯାଇନାହିଁ । ବିଭିନ୍ନ ସମ୍ପଦ୍ରାୟକୁ ଆଦିବାସୀ ମାନ୍ୟତା ଦେବାରେ ବି ସରକାର ପଛଘୁଞ୍ଚା ଦେଉଛନ୍ତି । ପୋଲାଭରମରେ ମୋଟୁର ଆଦିବାସୀ କ୍ଷତି ସହିବେ । ହେଲେ ଆନ୍ଧ୍ର ପ୍ରଦେଶକୁ ସୁହାଇବା ପରି କାମ କରୁଛନ୍ତି ସରକାର । କୋଟିଆକୁ ମଡେଲ ପଂଚାୟତ କରିଥିଲେ ନବୀନ । ହେଲେ ସୀମା ବିବାବ ଦୂର କରି ପାରୁ ନାହାନ୍ତି ବିଜେପି ସରକାର । ବିଶ୍ବ ଆଦିବାସୀ ଦିବସ ଅବସରରେ ଶଂଖ ଭବନରେ ପାରମ୍ପରିକ ନାଚଗୀତର ଆସର ଜମିଥିଲା । ବିଭିନ୍ନ ସମ୍ପ୍ରଦାୟର ଆଦିବାସୀମାନଙ୍କ ସହ ବିଜେଡି ନେତା ବି ଏଥିରେ ସାମିଲ ହୋଇଥିଲେ । ଆଦିବାସୀ କଳାକାରଙ୍କ ସହ ବିଜେଡି ନେତା ବି ନାଚଗୀତରେ ନିଜକୁ ହଜାଇ ଦେଇଥିଲେ । ଆଉ ଚଳିତ ବର୍ଷ ବିଶ୍ବ ଆଦିବାସୀ ଦିବସର ଥିମ ହେଉଛି ସାମଗ୍ରିକ ବିକାଶ ଜରିଆରେ ଆଦିବାସୀଙ୍କ ସମଷ୍ଟିଗତ ସଶକ୍ତିକରଣ । ହେଲେ ଯେଉଁ ପରି ଆଦିବାସୀଙ୍କ ବିକାଶରେ ବ୍ରେକ ଲାଗି ଚାଲିଛି, ତାହା ପୁଣି ଥରେ ଆଦିବାସୀଙ୍କୁ ମୁଖ୍ୟସ୍ରୋତରୁ ଦୂରେି ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।