ଦୁଇ ଦିନ ବିତିବାକୁ ବସିଲାଣି, ହେଲେ ଏବେବି ରହସ୍ୟ ଘେରରେ ସମାଜାସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ
1 min readଭୁବନେଶ୍ୱର: ଦୁଇ ଦିନ ବିତିବାକୁ ବସିଲାଣି । ହେଲେ ସମାଜାସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟରୁ ଉଠିପାରିନି ପରଦା । ଅନ୍ୟକୁ ଜିଇଁବାର ରାହା ଶିଖାଉଥିବା ଆଦିତ୍ୟ ଯେ ମାନସିକ ସ୍ତରରେ ଦୁର୍ବଳ ହୋଇପଡିବେ ଆଉ ଆତ୍ମହତ୍ୟା କରିବେ ଏହା କେହି ବିଶ୍ୱାସ କରିପାରୁ ନାହାନ୍ତି । ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ନୁହେଁ ବରଂ ହତ୍ୟାର ଶିକାର ହୋଇଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ଆଦିତ୍ୟଙ୍କ ପରିବାର ଓ ବନ୍ଧୁବର୍ଗ ।
ଆଦିତ୍ୟଙ୍କର କେହି ଶତ୍ରୁ ନଥିବା କହିଛନ୍ତି ତାଙ୍କ ବାପା । ତେବେ ମଦ ବିରୋଧୀ ଆନ୍ଦୋଳନରେ ଜଡିତ ଥିବା କାରଣରୁ ତାଙ୍କୁ ପୂର୍ବରୁ ମିଳିଥିଲା ଧମକ । ଆଉ ଆଦିତ୍ୟ ନିଜ ବିବାହକୁ ନେଇ ବିବ୍ରତ ଥିବା ତାଙ୍କ ଅନ୍ତରଙ୍ଗ ବନ୍ଧୁ ଅଙ୍ଗୁଳି ଉଠାଉଛନ୍ତି । ଆଦିତ୍ୟ ତାଙ୍କର ଜଣେ ବନ୍ଧୁ ବିକାଶଙ୍କ ସହ କୁଆଡେ ମୃତ୍ୟୁର ପୂର୍ବ ଦିନ ରାତିରେ ଦେଖା ହୋଇଥିଲେ । କଥାବାର୍ତ୍ତା ବେଳେ ସେ ବାହା ହୋଇ ଭୂଲ୍ କରିଥିବା କଥା ମଧ୍ୟ ବିକାଶଙ୍କୁ କହିଲେ । ତେବେ ଏଭଳି କଥାର ସତ୍ୟତା କେତେ ତାହା ପୋଲିସ ତଦନ୍ତରୁ ଜଣା ପଡିବ ତେବେ ଆଦିତ୍ୟଙ୍କ ମୃତ୍ୟୁର କାରଣ ପଛରୁ ରହସ୍ୟ ଉନ୍ମୋଚିତ ହେବା ଜରୁରୀ ବୋଲି ସେ କହିଛନ୍ତି ।
ଆଦିତ୍ୟଙ୍କ ବିବାହକୁ ଆସନ୍ତାକାଲି ମାସେ ପୂରିବ । ତେବେ ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା । ମଦ ବିରୋଧୀ ଆନ୍ଦୋଳନକୁ ନେଇ ପୂର୍ବରୁ ଆସୁଥିବା ଧମକ ଆଦିତ୍ୟଙ୍କ ମୃତ୍ୟୁର କାରଣ ହୋଇପାରେ ବୋଲି ପୁଣି ଦୋହରାଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ସେପଟେ ଆଦିତ୍ୟଙ୍କ ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ରେଳବାଇ ପୋଲିସ ।
https://youtu.be/tsnrd8iMpD4
ରେଳବାଇ ପୋଲିସ ଘଟଣା ସ୍ଥଳ ସହିତ ସୁନ୍ଦରପଦା ସ୍ଥିତ ଆଦିତ୍ୟଙ୍କ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମ ‘‘ହାପି ହୋମ୍’’ ଓ ଏକାମ୍ର ବିହାର ବାସଭବନ ଯାଇ ପରିବାର ଓ ବନ୍ଧୁ ବର୍ଗଙ୍କୁ ଜେରା କରି ବୟାନ ରେକର୍ଡ କରାଯାଇଛି । ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ଆଦିତ୍ୟ ପାରିବାରିକ ଅଶାନ୍ତି ଯୋଗୁଁ ମାନସିକ ଚାପରେ ରହି ଏଭଳି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଯୁବବର୍ଗଙ୍କ ପାଇଁ ଆଇକନ୍ ସାଜିଥିବା ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ସହିତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ଜୋର ଧରିଛି ।
(ଶକ୍ତିଧର ରାଜଗୁରୁ)
https://youtu.be/IM8mU6CViqM