ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବହୁ ଜଲଦି ରହସ୍ୟର ଉପରୁ ପରଦା ଉଠିପାରେ । ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ଆହୁରି କଡ଼ାକଡ଼ା ଭାବେ ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ  ଡିଜି । ଆଦିତ୍ୟଙ୍କ ମୃତ୍ୟୁକୁ ମାସେ ପାଖାପାଖି ହୋଇଯାଇଥିଲେ ମଧ୍ୟ ମୃତ୍ୟୁର ରହସ୍ୟ ଏବେ ବି ଅନ୍ଧାରରେ । ପ୍ରକୃତରେ ସେଦିନ ରାତିରେ କଣ ହୋଇଥିଲେ ଆଦିତ୍ୟ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରୁନାହିଁ ।

ପୂର୍ବରୁ ମାମଲାର ତଦନ୍ତ କରୁଥିବା ଭୁବନେଶ୍ୱର ଜିଆରପି ହାତରେ ଯଦିଓ କିଛି ସୁରାଗ ଲାଗିଥିଲା ସେଥିରୁ ସ୍ପଷ୍ଟ ହୋଇ ନଥିଲା ଯେ ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଆଦିତ୍ୟଙ୍କ ଡାଏରୀକୁ ନେଇ ତନାଘନା ଚାଲିଥିବା ବେଳେ ଡାଏରୀରେ ତାଙ୍କ ହାତଲେଖାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା । ଯଦିଓ ସେ ଡାଏରୀରେ ଲେଖା ଆଦିତ୍ୟଙ୍କ ହାତ ଲେଖା ବୋଲି ଜଣାପଡ଼ିଥିଲା । ଏହାପରେ ଆଦିତ୍ୟ ଏକା ଏକା ଚାଲି ଚାଲି ଯାଉଥିବାର ମଧ୍ୟ ସିସିଟିଭି ରେକର୍ଡିଂ ସାମ୍ନାକୁ ଆସିଥିଲା । ଯାହା ଆଦିତ୍ୟ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା ।

କିନ୍ତୁ ଏହାପରେ ଗତକାଲିର ତଥ୍ୟ ସମସ୍ତଙ୍କୁ ପୁଣି ଅନ୍ଧାରକୁ  ଠେଲି ଦେଇଛି । ଗତକାଲି ଲୋକୋ ପାଇଲଟଙ୍କ ବୟାନ ପୁଣି ଏହି ମାମଲା ଟ୍ୱିଷ୍ଟ ଆଣିଥିଲା । କାରଣ ଯେଉଁ ଟ୍ରାକରେ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ସେ ଟ୍ରାକ୍ ଦେଇ ଯାଇଥିବା ଆଉ ଦୁଇ ଟ୍ରେନର ଲୋକୋ ପାଇଲଟ ବୟାନ ରେକର୍ଡ କରାଯାଇଥିଲା । ଯେଉଁଥିରେ ସେ ସ୍ପଷ୍ଟ ସୂଚନା ଦେଇଥିଲେ ଯେ ସେଦିନ ଟ୍ରେନ ଆଗକୁ କେହି ଡେଇଁ ନଥିଲେ କି ଟ୍ରେନ କାହାରିକୁ ଧକ୍କା ଦେଇ ନଥିଲା ।

ତେବେ ଏତେ ସବୁ ତନାଘନା ପରେ ସତ ସାମ୍ନାକୁ ଆସୁ ନଥିବାରୁ ଆଜି ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅଭୟ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

Leave a Reply