ରିଲିଜ୍ ହୋଇଛି ଆଦିପୁରୁଷ, ଟିଜର ଦେଖି ସନ୍ଦେହରେ ଫିଲ୍ମ

ନନ୍ଦିଘୋଷ ବ୍ୟୁରୋ: ରିଲିଜ୍ ହୋଇଛି ଆଦିପୁରୁଷର ଟିଜର । ଆଦିପୁରୁଷ ଟିଜରକୁ ଦୁଇ ବର୍ଷ ଧରି ସିନେ ପ୍ରେମୀ ଅପେକ୍ଷା କରିଥିଲେ । ଅପେକ୍ଷାର ଅନ୍ତ କିନ୍ତୁ ଲାଗୁଛି ସୁଖଦ ହୋଇନି । କାରଣ ଏହି ଟିଜରକୁ ଅଧିକାଂଶ ପସନ୍ଦ କରୁନାହାନ୍ତି । ରାମ,ରାବଣଙ୍କ ଲୁକ୍ ଠାରୁ ଏହାର ସ୍ପେଶାଲ ଏଫେକ୍ଟ ସବୁକିଛି ନିରାଶ କରିଛି । ଏହି ଟିଜର ଦେଖି ଫିଲ୍ମର ଭବ୍ୟତାକୁ ନେଇ ଅନେକ ସନ୍ଦେହ କଲେଣି । ରାମାନାନ୍ଦ ସାଗରଙ୍କ ରାମାୟଣ ପରେ ଏହି ଫିଲ୍ମ ବଲିଉଡରେ ଇତିହାସ ସୃଷ୍ଟି କରିବ ବୋଲି କୁହାଯାଉଥିଲା । ୫ଶହ କୋଟିର ବଜେଟରେ ତିଆରି ଫିଳ୍ମର ଟିଜରରୁ କିନ୍ତୁ ସେଭଳି କିଛି ଲାଗୁନି ।

ଟିଜରକୁ ନେଇ ଅନେକ ଅଭଯୋଗ ରହିଛି । ଫିଲ୍ମର ଦୁଇ ପ୍ରମ୍ମୁଖ ଚରିତ୍ର ପ୍ରଭୁ ଶ୍ରୀରାମ ଓ ଲଙ୍କେଶ ରାବଣର ଲୁକ ଅନେକଙ୍କୁ ଆଚମ୍ବିତ କରିଛି । ଆଚମ୍ବିତ ଏଥିପାଇଁ ନୁହେଁ ଯେ, ଲୁକ୍ ଏଗଦମ ପରଫେକ୍ଟ । ଏଥିପାଇଁ ଯେ, ଦର୍ଶକ ପ୍ରଭୁ ଶ୍ରୀରାମଙ୍କୁ ବିନା ନିଶରେ ହିଁ କଳ୍ପନା କରି ଆସିଛନ୍ତି । କିନ୍ତୁ ଫିଲ୍ମରେ ପ୍ରଭାସ ନିଶ ସହିତ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଦ୍ୱିତୀୟରେ ରାବଣର ଲୁକ୍ କୁ ମଧ୍ୟ ସମାଲୋଚନା କରାଯାଉଛି । ରାବଣକୁ ମିଲିଟାରି କଟ୍ ହେୟାର ଷ୍ଟାଇଲରେ ଦେଖିବାକୁ ମିଳୁଛି । ସେଥିରେ ଏଭଳି ଦାଢି ଯାହା କୌଣସି ହଲିଉଡ୍ ଫିଲ୍ମର ଭାଇକିଂ କ୍ୟାରେକ୍ଟର ଭଳି ଲାଗୁଛି ।

ଅମରଚିତ୍ରକଥାର ରାମାୟଣ ପଢିଥିବା କିମ୍ବା ପୁରୁଣା ରାମାୟଣ ଦେଖିଥିବା ଦର୍ଶକଙ୍କ ପାଇଁ ରାମ ଓ ରାବଣଙ୍କ ଏଭଳି ରୂପ ସହଜରେ ଗ୍ରହଣୀୟ ନୁହେଁ । ସେହିଭଳି ଟିଜରର ସିଜିଆଇ ଅପଟୁ ମାର୍କ୍ ନୁହେଁ ବୋଲି ମଧ୍ୟ ଅଭିଯୋଗ ହେଉଛି । ଲାଗୁଛି ଏହା ଏକ କାର୍ଟୁନ ଫିଲ୍ମ । ଟିଜର ଦେଖି ଅନେକ ଦର୍ଶକ ଏଭଳି କମେଣ୍ଟ୍ ମଧ୍ୟ ଦେଇଛନ୍ତି ।
୫ଶହ କୋଟିର ଫିଲ୍ମର ସ୍ପେଶାଲ ଏଫେକ୍ଟ ଏତେ କମଜୋର କେମିତି ହେଲା ବୋଲି ପ୍ରଶ୍ନ ହେଉଛି । କୁହାଯାଉଛି ଯେ, ଫିଲ୍ମ ନିର୍ଦ୍ଦେଶକ ଏହାକୁ ଭବ୍ୟ ବନାଇବା ଚକ୍କରରେ ଏଚବିଓର ଗେମ୍ ଅଫ୍ ଥ୍ରୋନକୁ ପୁରା କପି କରିଛନ୍ତି । କିନ୍ତୁ କପି ମଧ୍ୟ ଠିକରେ କରି ନାହାନ୍ତି । ଟିଜରରେ ରାବଣକୁ ଏକ ରାକ୍ଷାସକାର ବାଦୁଡି ଉପରେ ବସି ଆସୁଥିବାର ଦେଖିବାକୁ ମିଳୁଛି । ଗେମ୍ ଅଫ୍ ଥ୍ରୋନର ଡ୍ରାଗନ ଓ ଆଦିପୁରୁଷର ଏହି ବାଦୁଡି ମଧ୍ୟରେ ଥିବା ସମାନତା ଦେଖି ଯେକେହି ମଧ୍ୟ ଏଭଳି କପି ଅଭିଯୋଗ ଆଣିବ ।

କିନ୍ତୁ ସମସ୍ୟା ହେଉଛି ଆଦିପୁରୁଷର ରାବଣ ସବାରୀ ବାଦୁଡି ଗେମ୍ ଅଫ୍ ଥ୍ରୋନର ଡ୍ରାଗନର ପାଖାପାଖି ଫିଲ୍ ମଧ୍ୟ ଦେଉନାହିଁ । ସେହିଭଳି ଟିଜରରେ ଯେଉଁ ବାନର ସେନାକୁ ଦେଖାଯାଇଛି ତାହା ମଧ୍ୟ କାର୍ଟୁନ ଭଳି ଲାଗୁଛି । ୨୦୨୨ରେ ଏଭଳି ଖରାପ ସ୍ପେଶାଲ ଏଫେକ୍ଟ ନେଇ କେମିତି ଓମ ରାଉତ୍ ସନ୍ତୁଷ୍ଟ ହେଲେ ବୋଲି ପ୍ରଶ୍ନ ହେଉଛି । ଟିଜର ଦେଖି ଅନେକ କହୁଛନ୍ତି ଯେ, ଫିଲ୍ମରେ ୫ଶହ କୋଟି ଓ ଦୁଇବର୍ଷର ସମୟ ଖର୍ଚ୍ଚ ହୋଇଥିବା ଭଳ ଲାଗୁନି । କିଛି ତ’ ଏହି ଟିଜର ଦେଖିବା ପରେ ବ୍ରହ୍ମାସ୍ତ୍ରର ସ୍ପେଶାଲ ଏଫେକ୍ଟକୁ ଶହେରୁ ଶହେ ନମ୍ବର ଦେଲେଣି । ଆଉ କିଛି କହୁଛନ୍ତି ଜାନୁଆରୀ ୧୨ରେ ଫିଲ୍ମ ରିଲିଜ୍ ହେବା ବେଳକୁ ଯ ଯଦି ନିର୍ମାତ ନିର୍ଦ୍ଦେଶକ ନିଜ ସ୍ପେଶାଲ ଏଫେକ୍ଟକୁ ସୁଧାରି ନିଅନ୍ତି ତେବେ ଭଲ କଥା । ନହେଲେ ଏହି ଫିଲ୍ମ କେବେ ମଧ୍ୟ ଦର୍ଶକଙ୍କ ଉପରେ ଛାପ ଛାଡି଼ ପାରିବ ନାହିଁ ।