ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଆଦ୍ୱିକା ଆପ୍’

1 min read

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ  ସୋମବାର ଆନ୍ତର୍ଜାତୀୟ ବାଳିକା ଦିବସ ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ଓ୍ୱେବିନାର ଅନୁଷ୍ଠିତ ହୋଇଯାଇଛି । ୨୦୨୦ ମସିହା ଅକ୍ଟୋବର ୧୧ ତାରିଖରେ କିଶୋରୀ ବାଳିକାମାନଙ୍କ ପାଇଁ ଲୋକାର୍ପିତ ହୋଇଥିବା ଆଦ୍ୱିକା କାର୍ଯ୍ୟକ୍ରମର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଉପଲବ୍ଧିକୁ ନେଇ ସବିଶେଷ ଆଲୋଚନା କରାଯାଇଥିଲା । ଆଦ୍ୱିକା କାର୍ଯ୍ୟକ୍ରମ ମାତ୍ର ବର୍ଷକ ମଧ୍ୟରେପ୍ରାୟ ୧୦ଲକ୍ଷ କିଶୋରୀ ବାଳିକାଙ୍କ ନିକଟରେ ପହଞ୍ଚିପାରିଛି ଏବଂ ଏହା ଦ୍ୱାରା ସେମାନଙ୍କ ଜୀବନଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଡିଜିଟାଲ ଯୁଗରେ ଜୀବନ ସହଜ ହୋଇଛି । ଅଧିକ ସୁଯୋଗ ସୃଷ୍ଟି ହୋଇଛି । ତେଣୁ ଆମର କିଶୋରୀ ଏବଂ ମହିଳାମାନଙ୍କୁ ଡିଜିଟାଲ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ଭାବେ ସଚେତନ କରିବାକୁ ହେବ  । ଏଥିପାଇଁ ଆମ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଆଧାରରେ ମୋ ଛତୁଆ, ଇ-କାଳିଆ, ଇମାନଦେୟ, ମୋ ଶିଶୁ ଆଦି ବିଭିନ୍ନ ଯୋଜନା ଡିଜିଟାଲ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥିବା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ । ୟୁନିସେଫ୍ ଏବଂ ୟୁଏନ୍‌ଏଫ୍ଏର ମିଳିତ ସହଯୋଗରେ  କ୍ଷେତ୍ର କର୍ମଚାରୀମାନଙ୍କୁ ନେଇ ଆୟୋଜିତ ଓ୍ୱେବିନାରର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁବିକାଶ ସେ ଏହା କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ୟୁନିସେଫ୍ ଓଡ଼ିଶାର ମୁଖ୍ୟ ମୋନିକା ନିଲେସନ୍ ଏବଂ ୟୁନିସେଫ୍‌ର ରାଜ୍ୟ ପ୍ରକଳ୍ପ ସଂଯୋଜକ ମହମ୍ମଦ ନଦିମ୍ ନୁର୍ ପ୍ରମୁଖ ବାଳିକାମାନଙ୍କ କ୍ଷେତ୍ରରେ ବିଦ୍ୟାଳୟ ଡ୍ରପଆଉଟ୍ ସଂଖ୍ୟା ହ୍ରାସ, ବାଲ୍ୟ ବିବାହ ନିରୋଧ, କିଶୋରୀମାନଙ୍କ ମଧ୍ୟରେ ପୁଷ୍ଟି ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି, ଶିଶୁ ନିର୍ଯାତନା ଓ ବାଳିକା ଚାଲାଣ ଆଦି ରୋକିବା କ୍ଷେତ୍ରରେ ବିଭାଗ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି ଏବଂ ପ୍ରାୟ ସମସ୍ତ ପ୍ରୟାସ କିଶୋରୀ ବାଳିକାମାନଙ୍କ ସମୃଦ୍ଧିରେ ସହାୟକ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ ।

କିଶୋରୀ ବାଳିକା ସମୃଦ୍ଧି ଭଳି ସାମାଜିକ ପ୍ରସଂଗରେ ସର୍ବଦା ସହଯୋଗ ରଖିଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତାରକା ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଓ୍ୱେବିନାରରେ ଯୋଗଦେଇ ବାଳିକା ଶିକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱପୂଣ୍ଣ ବୋଲି କହିବା ସହ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା କିଶୋରୀ ବାଳିକାମାନଙ୍କୁ ପ୍ରେରଣାଦାୟୀ ଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ । ଆକ୍ସନ ଏଡ୍, ଓଡ଼ିଶାର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଘସିରାମ ପଣ୍ଡା ଓଡ଼ିଶା ସରକାରଙ୍କ ଆଦ୍ୱିକା ମଡେଲଟି ଅନ୍ୟ ରାଜ୍ୟମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ବୋଲି କହିଥିଲେ ।

ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରୀ ପ୍ରଭାବଶାଳୀ କରିବା ନିମନ୍ତେ ଉଦ୍ୟମ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଆଦ୍ୱିକାର ଏହି ଓ୍ୱେବିନାରରେ ବିଭାଗର ସମସ୍ତ କ୍ଷେତ୍ର ଅଧିକାରୀ, କର୍ମଚାରୀ, ସଖୀ ସହେଲୀ, ଗ୍ରୁପ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକତ୍ତାଙ୍କ ସମେତ ପ୍ରାୟ ତିନି ହଜାର ପାଞ୍ଚ ଶହରୁ ଊର୍ଦ୍ଧ୍ୱ ଜଣ ଯୋଗଦେଇଥିଲେ ।

Leave a Reply