ଆଜିଠୁ ଆରମ୍ଭ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଝଲସିବ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳାକୁ ଉଦଘାଟନ କରିବେ । ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନର ଏହି ମେଳାରେ ଚଳିତ ବର୍ଷ ମୋଟ୍‍ ୧୦୦ଟି ଷ୍ଟଲ ପଡ଼ିଥିବା ବେଳେ ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିସି ଆଦି ମେଳାରେ ଯୋଗ ଦେଇଛନ୍ତି । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ । ଆଦିବାସୀ ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ବତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିଛି । ଦେଶର ୧୮ଟି ରାଜ୍ୟରୁ ଆସିବାକୁ ଥିବା କଳାକାରମାନେ କଳାନୈପୂଣ୍ୟ ପ୍ରଦର୍ଶନ ସହ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ ।

ସେହିପରି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କିନ୍ତୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଆଦିବାସୀ ମେଳାରେ ଆଦିବାସୀମାନଙ୍କ ପାରମ୍ପରିକ ଗୃହ ଦେଖିବାକୁ ମିଳିବ ନାହିଁ । ସେହିପରି ଚଳିତ ଥର ଫୁଡ କୋର୍ଟ ମଧ୍ୟ ହୋଇନାହିଁ । ସୂଚନା ଅନୁସାରେ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଏହି ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହୋଇଥାଏ । କିନ୍ତୁ କରୋନା କଟକଣା ପାଇଁ ଚଳିତ ବର୍ଷ ହୋଇପାରିନଥିଲା ।