ସରିଲା ଅଧରପଣା ନିତୀ, ଚଣ୍ଡିଚାମଣ୍ଡାଙ୍କୁ ପଣା ଦେଇ ସନ୍ତୁଷ୍ଟ କଲେ ମହାପ୍ରଭୁ

ପୁରୀ: ସମ୍ପନ୍ନ ହେଲା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ । ୩ ରଥରେ ପାର୍ଶ୍ବ ଦେବଦେବୀ ଓ ଚଣ୍ଡିଚାମଣ୍ଡାଙ୍କୁ ପଣା ଦେଇ ସନ୍ତୁଷ୍ଟ କଲେ ମହାପ୍ରଭୁ । ଏଥିପାଇଁ ଆଜି ଆଷାଢ଼ ଶୁକ୍ଳ ଦ୍ବାଦଶୀରେ ୩ ରଥରେ ଅନୁଷ୍ଠିତ ହୋଇଥିଲା ଅଧରପଣା ନୀତି । ଶ୍ରୀବିଗ୍ରହମାନଙ୍କ ଶ୍ରୀଅଧରକୁ ଛୁଉଁଥିବା ତିନିତିନିଟି ଲାଉତୁମ୍ବ ଆକାରର ୯ଟି ମାଟିହାଣ୍ଡିରେ ପ୍ରସ୍ତୁତ ହୋଇଥିଲା ପଣା । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆପଟ ସେବକମାନେ ଜଳ ଆଣି ପ୍ରଥମ ଏକ ପିତଳ ହଣ୍ଡାରେ ରଖିଥିଲେ ।

ମହାସୁଆରମାନେ ପ୍ରତି ରଥରେ, ଅଧରହାଣ୍ଡିରେ ପଣା ପ୍ରସ୍ତୁତ କରିଥିଲେ । ଜଳରେ କ୍ଷୀର, ସର, କଦଳୀ, ଛେନା, ଛାଚି, ଗୋଲମରିଚ, କର୍ପୂର, ଜାଇଫଳ ଆଦି ମିଶାଇ ପ୍ରସ୍ତୁତ ହୋଇଥିଲା ପଣା । ରାଘବ ଦାସ ମଠ ଓ ବଡ ଓଡ଼ିଆ ମଠ ପଣା ସାମଗ୍ରୀ ଯୋଗାଇଦେଇଥିଲେ । ଶ୍ରୀଅଧର ଆଗରେ ନୂଆ ଗାମୁଛାରେ ଟେରା ବନ୍ଧାଯିବା ସହ ପଣା ହାଣ୍ଡି ଉପରେ ଧଳା କରିଆ ପକାଯାଇ ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାରରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥିଲେ ।

ଭୋଗ ହେବା ପରେ ପଣା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯଇଥିଲା । ଏହାଦ୍ବାରା ରଥରେ ଥିବା ପାର୍ଶ୍ଵ ଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନେ ପ୍ରଭୁଙ୍କ ଅଧରାମୃତ ପାନ କରି ତୃପ୍ତ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି । ସେପଟେ ଶାନ୍ତି ଶୃଙ୍ଖଳାର ସହ ଶ୍ରଦ୍ଧାଳୁ ଅଧରପଣା ଭଙ୍ଗ ଦର୍ଶନ କରିଥିଲେ  । ପ୍ରଶାସନ ପକ୍ଷରୁ ସୂଚାରୁ ରୂପେ ରଥଯାତ୍ରା, ବାହୁଡ଼ା, ସୁନାବେଶ ପରେ ଅଧରପଣା ନୀତି ସମ୍ପନ କରିଛନ୍ତି  ।