ଆଜି ପୁଣି ସେୟାର ବଜାରରେ ହୋଇପାରେ ହଲଚଲ, ଆଦାନୀଙ୍କ ସେୟାର ମୂଲ୍ୟରେ ହୋଇପାରେ ବଡ଼ ହ୍ରାସ

ନୂଆଦିଲ୍ଲୀ: ସେୟାର ବଜାରରୁ ସଂସଦ । ଆଦାନୀକୁ ନେଇ ଆରପାର । ସଂସଦରେ ହଙ୍ଗାମା, ବଜାରରେ ହାହାକାର । ଆଜି ପୁଣି ସଂସଦରେ ଆଦାନୀ ଗ୍ରୁପର ଷ୍ଟକ୍ ମେନିପୁଲେସନକୁ ସରକାରଙ୍କୁ ଘେରିବେ ବିରୋଧୀ । ସାରା ଦେଶରେ ଆଦାନୀକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କେନ୍ଦ୍ର ସରକାରଙ୍କୁ ପକ୍ଷରୁ କୌଣସି ବୟାନ ନଆସିବା ବିରୋଧୀଙ୍କୁ ଚକିତ କରିଛି । ଗତ ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭରୁ ଆଦାନୀ ପ୍ରସଙ୍ଗକୁ ନେଇ ହଲ୍ଲାବୋଲ କରିଥିଲେ ବିରୋଧୀ । ଆଲୋଚନା ପାଇଁ ଦାବି କରିବା ସହ ଜେପିସି ବା ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି କିମ୍ବା ସୁପ୍ରିମକୋର୍ଟ କମିଟି ଦ୍ୱାରା ସମସ୍ତ ଅଭିଯୋଗର ଯାଞ୍ଚ ପାଇଁ ଦାବି ଉଠାଇଥିଲେ ।

ଉଭୟ ଗୃହ ମୁଖ୍ୟ ଏହାକୁ ଅଗ୍ରାହ୍ୟ କରିବା ପରେ ବିରୋଧୀ ଦଳ ସାଂସଦମାନେ ସରକାର ବିରୋଧରେ ନାରାବାଜି କରିଥିଲେ । ଉଭୟ ଗୃହକୁ ମୁଲତବି କରାଯାଇଥିଲା । ଫଳରେ ଉଭୟ ଗୃହ କାର୍ଯ୍ୟକୁ ଆଜି ପର୍ଯ୍ୟନ୍ତ ମୁଲତବୀ ରହିଛି  । ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ ଅଫ କମ୍ପାନୀ ସେୟାରରେ ସୁନାମୀ ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ କମ୍ପାନୀର ନେଟଓ୍ୱର୍ଥ କମୁଥିବା ବେଳେ ଆଦାନୀ ଗ୍ରୁପର ତିନିଟି କମ୍ପାନୀକୁ ସର୍ଭିଲାନ୍ସରେ ରଖାଯାଇଛି । କମ୍ପାନୀର ବଜାର ତଦାରଖ ପାଇଁ ଏହାକୁ ସର୍ଭିଲାନ୍ସରେ ରଖାଯାଇଛି ବୋଲି ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ କୁହାଯାଇଛି । ସେପଟେ ବିଶ୍ବର ୧୭ ନମ୍ବର ଧନୀ ତାଲିକାକୁ ଖସି ଆସିଛନ୍ତି । ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ୩୫ ପ୍ରତିଶତ ହ୍ରାସ ପାଇଥିଲା ।