ଆଦାନୀ ଘୋଟାଲା ପ୍ରସଙ୍ଗରେ ତାତିଲା ଲୋକସଭା, ଜେପିସି ତଦନ୍ତ ପାଇଁ ବିରୋଧୀଙ୍କ ଦାବି

1 min read

ନୂଆଦିଲ୍ଲୀ: ଆଦାନି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା । ଚାଲିପାରୁନି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆଜି ଦ୍ବିତୀୟ ଦିନରେ ବି ସମାନ ସ୍ଥିତି । ଗୃହ କାର୍ଯ୍ୟ ଆରମ୍ଭରୁ ଆଦାନୀ ଘୋଟାଲା ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦ ନାରାବାଜି କରିଥିଲେ । ଜେପିସି ଗଠନ ପାଇଁ ସରକାର ରାଜି ହେଉନଥିବା ବେଳେ ବିଜେପି-ଆଦାନୀ ସମ୍ପର୍କକୁ ନେଇ ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ । ଯାହାଫଳରେ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବି କରି ଦିଆଯାଇଛି ।

ସେପଟେ ଗୃହ କାର୍ଯ୍ୟ ଆରମ୍ଭରୁ ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିକ୍ଷୋଭ କରିଥିଲେ ବିରୋଧୀ ସାଂସଦ । ପ୍ଲାକାର୍ଡ ଧରି କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଥିଲେ । ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ରିପୋର୍ଟ ପରେ SBI ଓ LIC ବ୍ୟାପକ କ୍ଷତି ସହିଥିବା ବେଳେ ସରକାର କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ସେହିପରି ରାଜ୍ୟସଭା ଆରମ୍ଭରୁ ଓସ୍କାର ବିଜେତା ଦୁଇ ଫିଲ୍ମ RRR ଓ ଦ ଏଲିଫାଣ୍ଟ ଉଇସପର୍ସକୁ ସଦସ୍ୟମାନେ ଶୁଭେଚ୍ଛା ଜଣାଇଥଲେ । ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିଜେପି ସାଂସଦ ହଟ୍ଟଗୋଳ କରିବା ପରେ ରାଜ୍ୟସଭାକୁ ମଧ୍ୟ ଦିନ ୨ଟା ଯାଏଁ ସ୍ଥଗିତ ରଖିଛନ୍ତି ଗୃହ ଅଧ୍ୟକ୍ଷ ଜଗଦୀପ ଧନକଡ଼ ।