ଆଦାନୀ ଗ୍ରୁପର ଗୌତମ ଆଦାନୀଙ୍କୁ ମିଳିଲା ସବୁଠୁ ବଡ ଝଟକା; ବିଶ୍ବର ଧନୀ ତାଲିକାରୁ ଖସିଲେ ତଳକୁ, ଜାଣନ୍ତୁ ଦୁଇ ଦିନରେ ସମ୍ପତ୍ତିରେ ହେଲା କେତେ ହ୍ରାସ  …

1 min read

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କୁ ପୁଣି ସବୁଠୁ ବଡ ଝଟକା । ବିଶ୍ଦର ଧନୀ ତାଲିକାରୁ ତଳକୁ ଖସିଗଲେ । ଭାରତର ଦ୍ବିତୀୟ ଧନୀ ବ୍ୟକ୍ତି ତଥା ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶିଳ୍ପପତି ଗୌତମ ଆଦାନୀଙ୍କୁ ପୁଣି ଏକ ବଡ ହ୍ରାସର ସାମ୍ନା କରିବାକୁ ପଡୁଛି । ମାତ୍ର ଦୁଇ ଦିନ ମଧ୍ୟରେ ହିଁ ତାଙ୍କ ସମୁଦାୟ ସମ୍ପତ୍ତିର ବଡ ହ୍ରାସ ହୋଇଛି । ଆମେରିକା କୋର୍ଟ ତରଫରୁ ଆରେଷ୍ଟ ଓ୍ବାରେଣ୍ଟ ଆସିବା ପରେ ବର୍ତ୍ତମାନ ତାଙ୍କୁ ସବୁଠୁ ବଡ କ୍ଷତିର ସାମ୍ନା କରିବାକୁ ପଡୁଛି ।

ବିଶ୍ବର ଧନୀ ତାଲିକାରୁ ତଳକୁ ଖସିଲେ ଗୌତମ ଆଦାନୀ

ଏଭଳି ଏକ ହ୍ରାସର ପ୍ରଭାବ ବିଶ୍ବର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଥିବା ଗୌତମ ଆଦାନୀଙ୍କ ରାଙ୍କିଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି । ଆଦାନୀ ଏବଂ ତାଙ୍କ ଭଣଜାଙ୍କ ଉପରେ ଲାଞ୍ଚ ଏବଂ ଠକେଇ ଅଭିଯୋଗ ପରେ ବ୍ଲୁମବର୍ଗ ଏବଂ ଫୋର୍ବସ୍ ର ରିୟଲ ଟାଇମ ବିଲେନିୟର ତାଲିକାରେ ଏକା ଥରକେ ୪ ସ୍ଥାନ ତଳକୁ ଖସି ଯାଇଛନ୍ତି ଆଦାନୀ । ଏବେ ଧନୀ ତାଲିକାର ୨୧ ସ୍ଥାନରେ ଅଛନ୍ତି ।  ଅର୍ଥାତ ଆଦାନୀ ବର୍ତ୍ତମାନ ବିଶ୍ବର ୨୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରୁ ବାହାରି ଯାଇଛନ୍ତି । ଆମେରିକା କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଦାନୀଙ୍କ ନିଟ୍ ମୂଲ୍ୟ ହ୍ରାସ ପାଇବା ସହ ଉଭୟ ବ୍ଲୁମବର୍ଗ ଏବଂ ଫୋର୍ବସ୍ ତାଲିକାରେ ତାଙ୍କୁ କ୍ଷତିର ସାମ୍ନା କରିବାକୁ ପଡିଛି । ଆମେରିକାର ଅଭିଯୋଗ ପୂର୍ବରୁ ସେ ୧୮ତମ ସ୍ଥାନରେ ରହିଥିଲେ । ଆଦାନୀଙ୍କ ନିଟ୍ ମୂଲ୍ୟ ଥିଲା ୮୫.୫ ବିଲିୟନ ଡଲାର । ଗୁରୁବାର ତାଙ୍କ ସମ୍ପତ୍ତିର ମୂଲ୍ୟରେ ତୀବ୍ର ହ୍ରାସ ପରେ ସେ ୨୧ ତମ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ସ୍ଥାନରେ ମେକ୍ସିକୋର ବିଲେନିୟର କାର୍ଲୋସ ସ୍ଲିମ ହେଲୁ ବର୍ତ୍ତମାନ ବିଶ୍ବର ୧୮ତମ ଧନୀ ବ୍ୟକ୍ତି ହୋଇଛନ୍ତି ।

କେତେ କ୍ଷତି ସହିଲେ ଗୌତମ ଆଦାନୀ

ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ପାଇଁ ଗତ ଦୁଇ ଦିନ ଖୁବ କଷ୍ଟ ସାଧ୍ୟ ହୋଇପଡିଛି । ଗୁରୁବାର ଦିନ ଲାଞ୍ଚ ଏବଂ ଠକେଇ ଅଭିଯୋଗ ମାମଲାକୁ ନେଇ ସମନ ଜାରି କରିଛି ଆମେରିକା କୋର୍ଟ । ଯାହା ପରେ ହିଁ ସମସ୍ତ ଆଦାନୀ କମ୍ପାନୀର ସେୟାରରେ ତୀବ୍ର ହ୍ରାସ ପାଇଛି । ଯେଉଁଥିପାଇଁ ଆଦାନୀ ଗ୍ରୁପର ବଜାର ପୁଞ୍ଜିକରଣ (ମାର୍କେଟ୍ କ୍ୟାପ୍) ହ୍ରାସ ପାଇଥିବାବେଳେ ଅନ୍ୟପଟେ ତାଙ୍କ ସମ୍ପତ୍ତିର ନିଟ୍ ମୂଲ୍ୟ ମଧ୍ୟ ଅତ୍ୟଧିକ ପ୍ରଭାବିତ ହୋଇଛି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ କମ୍ପାନୀର ସେୟାର ହ୍ରାସ ହେବା ତାଙ୍କ  ନେଟ ଓ୍ବର୍ଥକୁ ପ୍ରଭାବିତ କରିଛି, ତାଙ୍କ ସମ୍ପତ୍ତି ଯାହା ବର୍ତ୍ତମାନ ୭୦.୮ ବିଲିୟନ ଡଲାର ହ୍ରାସ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସମ୍ପତ୍ତି ୧.୧୯ ବିଲିୟନ ଡଲାର(୧୦.୦୦୦ କୋଟି ଟଙ୍କା) ହ୍ରାସ ପାଇଛି । ଗୋଟିଏ ଦିନରେ ତାଙ୍କୁ ଏତେ ବଡ କ୍ଷତି ସହିବାକୁ ପଡିଛି ।

ଆମେରିକା କୋର୍ଟ ଜାରି କଲା ସମନ

ଆଦାନୀ ଏବଂ ତାଙ୍କ ଭଜଣାଙ୍କ ଉପରେ ଅନୁକୂଳ ସୌର ଶକ୍ତି ଚୁକ୍ତି ପାଇବା ପାଇଁ ଲାଞ୍ଚ ଦେବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଏହି ଚୁକ୍ତି କରିବା ପାଇଁ ଭାରତୀୟ ଅଧିକାରୀଙ୍କୁ ବାଧ୍ୟ କରାଯାଇଥିଲା । ଆମେରିକା କୋର୍ଟ ତରଫରୁ ପଠାଯାଇଥିବା ସମନରେ ୨୧ ଦିନ ଭିତରେ ଆମେରିକୀୟ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିଶନ(SEC)ଙ୍କୁ ଜବାବ ଦେବା ପାଇଁ ଉଲ୍ଲେଖ ରହିଛି । ଆମେରିକାର ଅଭିଯୋଗ ଅନୁଯାୟୀ, ଯେଉଁ ଚୁକ୍ତିକୁ ପାଇବା ପାଇଁ ୨୬.୫ କୋଟି ଆମେରିକୀୟ ଡଲାର(୨୨୦୦ କୋଟି ଭାରତୀୟ ମୁଦ୍ରା) ଲାଞ୍ଚ କାରବାରରେ ସମ୍ପୃକ୍ତ ଥିଲେ ଆଦାନୀ ଏବଂ ତାଙ୍କ ଭଣଜା।

ଆମେରିକାର ଓକିଲଙ୍କ ଅଭିଯୋଗ ଅନୁଯାୟୀ ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ସମେତ ମୋଟ ୭ ଜଣ ଏହି ଲାଞ୍ଚ କାରବାରରେ ସାମିଲ ଅଛନ୍ତି । ଭାରତରେ ସୋଲାର ଏନର୍ଜୀ ତଥା ଅନୁକୂଳ ସୌର ଶକ୍ତି କ୍ଷେତ୍ରରେ ଚୁକ୍ତିନାମା ପାଇଁ ଥିବା ସର୍ତ୍ତ ବଦଳରେ ଭାରତୀୟ ଅଧିକାରୀଙ୍କୁ ୨୬.୫ କୋଟି ଡଲାର ମୂଲ୍ୟର ଲାଞ୍ଚ ଦିଆଯାଇଛି । ଏହା ଛଡା ଆମେରିକାରେ ହୋଇଥିବା ଏହି ଡିଲ ମାମଲାରେ ଆଦାନୀ ଏବଂ ତାଙ୍କ ଭଣଜାଙ୍କ ବିରୋଧରେ ଅାମେରିକା କୋର୍ଟ ତରଫରୁ ସମନ ଜାରି କରାଯାଇଛି । ଅନ୍ୟପଟେ ଆଦାନୀ ଗ୍ରୁପ କୋର୍ଟର ଏହି ଅଭିଯୋଗକୁ ଅସ୍ବୀକାର କରିବା ସହ ଏହା ଭିତ୍ତିହୀନ ବୋଲି କହିଛି । ସୂଚନା ଅନୁଯାୟୀ ପୂର୍ବରୁ ୨୦୨୩ ମସିହା ଜାନୁଆରୀ ମାସରେ ମଧ୍ୟ ଆଦାନୀ ଗ୍ରୁପକୁ ଏଭଳି କ୍ଷତି ସହିବାକୁ ପଡିଥିଲା । ଆମେରିକୀୟ କମ୍ପାନୀ ହିଣ୍ଡେନବର୍ଗ ତରଫରୁ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପକୁ ଅତ୍ୟଧିକ କ୍ଷତି ସହିବାକୁ ପଡିଥିଲା ।