ସେୟାର ମୂଲ୍ୟକୁ ପ୍ରଭାବିତ କରିନି ଆଦାନୀ ଗ୍ରୁପ, କ୍ଲିନଚିଟ୍ ଦେଲେ ସୁପ୍ରିମକୋର୍ଟ ପ୍ୟାନେଲ୍

ନୂଆଦିଲ୍ଲୀ: ଆଦାନୀ ଗ୍ରୁପକୁ ଆଶ୍ୱସ୍ତି । ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତ ଏକ୍ସପର୍ଟ ପ୍ୟାନେଲ ଆଦାନୀ ଗ୍ରୁପକୁ କ୍ଲିନ ଚିଟ୍ ଦେଇଛନ୍ତି । ଏହି ପ୍ୟାନେଲ ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଲଗାଯାଇଥିବା ଅଭିଯୋଗର ତଦନ୍ତ କରୁଛି । ଏକ୍ସପର୍ଟ ପ୍ୟାନେଲ ଏହା ମଧ୍ୟ କହିଛି ଯେ ଏପରି ଲାଗୁଛି ଯେ ମାର୍କେଟ ରେଗୁଲେଟର ସେବି ପକ୍ଷରୁ ନିୟମରେ କୌଣସି ବିଚ୍ୟୁତି ହୋଇନାହିଁ । ଏକ୍ସପର୍ଟ ପ୍ୟାନେଲ ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ କହିଛି ଆଦାନୀ ଗ୍ରୁପ ପକ୍ଷରୁ ସେୟାରର ମୂଲ୍ୟରେ କୌଣସି ଗଡ଼ବଡ଼ କରାଯାଇ ନାହିଁ ଏବଂ ଗ୍ରୁପ ରିଟେଲ ଇନଭେଷ୍ଟର୍ସଙ୍କ ହିତର ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଉଠାଇଛି ।

ପ୍ୟାନେଲର କହିବା ଅନୁଯାୟୀ ସେବି ଦ୍ୱାରା ଉପଲବ୍ଧ କରାଯାଇଥିବା ତଥ୍ୟ ସଙ୍କେତ ଦେଇଛି ଯେ ଆଦାନୀର କମ୍ପାନୀଗୁଡ଼ିକର ସେୟାରର ମୂଲ୍ୟରେ କିଛି ବି ଖାସ୍ ପାଟର୍ଣ୍ଣ ନାହିଁ । ବଜାର ହିସାବରେ ଏଥିରେ ବୃଦ୍ଧି ଓ ହ୍ରାସ ଦେଖାଯାଇଥିବା ସମ୍ଭାବନା । ପ୍ରକାଶ ଥାଉକି ହିଣ୍ଡେନବର୍ଗ ନିଜ ରିପୋର୍ଟରେ ଅଭିଯୋଗ କରିଥିଲେ ଯେ ଆଦାନୀ ଗ୍ରୁପ ସେୟାର ସହ ହେରଫେର କରିଛି ଏବଂ ପ୍ରାଇସକୁ ଓଭର ଭାଲ୍ୟୁ କରିଛି । ପ୍ୟାନେଲ ମୁତାବକ ସେବି ୧୩ ଭିନ୍ନ ଭିନ୍ନ ପ୍ରକାରର ଟ୍ରାଞ୍ଜାକ୍ସନର ଚିହ୍ନଟ କରିଛି ଏବଂ ଏହା ଉପରେ ସକ୍ରିୟ ରୂପରେ ଡାଟା ଏକଜୁଟ କରି ଏହାର ସମୀକ୍ଷା କରୁଛି ।