ଆଦାନୀ ବନାମ ହିଣ୍ଡେନବର୍ଗ ମାମଲା: ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବନାମ ହିଣ୍ଡେନବର୍ଗ ମାମଲା । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ଘଟଣାର ତଦନ୍ତ ଲାଗି ଏକ ଏକ୍ସପର୍ଟ ପ୍ୟାନେଲ ଓ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ବା ସେବିକୁ ନିର୍ଦ୍ଦେଶ ଦେବାର ପ୍ରାୟ ମାସକ ପରେ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପି.ଏସ. ନରସିହ୍ମା ଓ ଜଷ୍ଟିସ ଜେ.ବି. ପାର୍ଦ୍ଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପ ଦ୍ବାର ସିକ୍ୟୁରିଟି ଆଇନର କୌଣସି ଉଲ୍ଲଂଘନ ହୋଇଛି କି ନାହିଁ ତାହାର ଯାଞ୍ଚ ଲାଗି ଗତ ମାର୍ଚ୍ଚ ୨ ତାରିଖରେ ସେବିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ମାର୍କେଟ ଭାଲ୍ୟୁ ପ୍ରାୟ ୧୪୦ ବିଲିୟନ ଡଲାର କ୍ଷତିଗ୍ରସ୍ତ ହୋଇଥିଲା ।

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ. ସାପ୍ରେଙ୍କ ନେତୃତ୍ବରେ ଏହାର ତଦନ୍ତ ଲାଗି ଏକ ୬ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା । ଏହା ସହ ନିବେଶକଙ୍କ ପୁଞ୍ଜିର ସୁରକ୍ଷା ଦିଗରେ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ । ଗତ ଏପ୍ରିଲ ୨୯ରେ ବିଭିନ୍ନ ତାଲିକାଭୁକ୍ତ ଓ ଅଣତାଲିକାଭୁକ୍ତ ତଥା ବିଦେଶୀ କମ୍ପାନୀଙ୍କ ମଧ୍ୟରେ ହୋଇଥିବା କାରବାର ସମ୍ପର୍କରେ ରିପୋର୍ଟ ଦାଖଲ କରିଥିଲା ସେବି । ବର୍ତ୍ତମାନ ସୁଦ୍ଧା ଆଇନଜୀବୀ ଏମଏଲ ଶର୍ମା, ବିଶାଳ ତିଓ୍ବାରୀ ଓ କଂଗ୍ରେସ ନେତା ଜୟ ଠାକୁରଙ୍କ ଦ୍ବାରା ସୁପ୍ରିମକୋର୍ଟରେ ୪ଟି ଜନସ୍ବାର୍ଥ ମାମଲା ଦାୟର ହୋଇଛି । ଆଦାନୀଙ୍କ ବ୍ୟାବସାୟିକ ସାମ୍ରାଜ୍ୟ ସହ ଏଲଆଇସି ଓ ଷ୍ଟେଟବ୍ୟାଙ୍କ ପରି ବୃହତ ସଂସ୍ଥା ଜଡ଼ିତ ହୋଇଥିବାରୁ ଦେଶବ୍ୟାପୀ ସୃଷ୍ଟି ହୋଇଥିଲା ସଂଶୟ ।