ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଏବେ ଏସିଆର ସବୁଠୁ ଧନୀ ବ୍ୟକ୍ତି । ଅମ୍ବାନୀଙ୍କୁ ପଛରେ ପକାଇ ଧନୀ ତାଲିକାର ଏକକୁ ଉଠିଲେ ।  ଫୋର୍ବସ ରିୟଲ ଟାଇମ ବିଲେନିୟର୍ସ ରିପୋଟରେ ଗୌତମ ଅଦାନୀ ୯୦ ବିଲିୟନ ଡଲାର ସହ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସ୍ଥାନିତ ହୋଇଛନ୍ତି । ଅନ୍ୟପଟେ ଦେଶର ଟପ୍ ୧ରେ ଥିବା ମୁକେଶ ଅମ୍ବାନୀ ୮୯ ବିଲିୟନ ଡଲାର ସହ ୧୧ ନମ୍ବର ସ୍ଥାନରେ ରହିଛନ୍ତି । ଫୋବର୍ସ ପକ୍ଷରୁ ଜାରି କରାଯାଇଥିବା ରିଅଲ୍ ଟାଇମ୍ ଲିଷ୍ଟ ଅନୁଯାୟୀ, ଗୌତମ ଆଦାନୀ ଏବଂ ଫ୍ୟାମିଲି ପାଖରେ ଏବେ ୯୦ ବିଲିୟନ ଡଲାର ସମ୍ପତ୍ତି ରହିଛି । ଯାହା ଫଳରେ ସେ ବିଶ୍ବର ଧନୀ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣ ୬୭୨ ମିଲିୟନ ଡଲାର କମିଛି । ତଥାପି ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି ।

ସେପଟେ ସମଗ୍ର ଏସିଆ ଏବଂ ଭାରତର ଧନୀ ତାଲିକାର ଶୀର୍ଷରେ ଥିବା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୪ ଘଣ୍ଟା ମଧ୍ୟରେ ୨.୨ ବିଲିୟନ ଡଲାର କମିଛି । ସେହିପରି ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ ସବୁଠାରୁ ଅଧିକ କ୍ଷତି ସହିଛନ୍ତି । ଜୁକରବର୍ଗଙ୍କ କମ୍ପାନୀର ସେୟାରରେ ଗୁରୁବାର ପ୍ରାୟ ୨୬ ପ୍ରତିଶତ ହ୍ରାସ ପାଇଛି । ଯାହା ଫଳରେ ସେ ପ୍ରାୟ ୨୯.୭ ବିଲିୟନ ଡଲାରର କ୍ଷତି ସହିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ପରିମାଣ ହ୍ରାସ ପାଇ ୮୪.୮ ବିଲିୟନ ଡଲାରରେ ପହଞ୍ଚିଯାଇଛି । ଅମ୍ବାନୀ ଏବଂ ଆଦାନୀଙ୍କ ପରେ ଜୁକରବର୍ଗ ଏବେ ବିଶ୍ବ ଧନୀ ତାଲିକାର ୧୨ତମ ସ୍ଥାନରେ ରହିଛନ୍ତି ।

ବିଶ୍ୱର ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ସମ୍ପତ୍ତି ମଧ୍ୟ ବ୍ୟାପକ ମାତ୍ରାରେ ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଏଲନ୍‌ ମସ୍କଙ୍କ ପ୍ରାୟ ୩.୩ ବିଲିୟନ ଡଲାର ହ୍ରାସ ପାଇଛି । ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କୁ ମଧ୍ୟ ବଡ କ୍ଷତି ସହିବାକୁ ପଡିଛି । ବିଶ୍ବ ଧନୀ ତାଲିକାରେ ସେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ବେଜୋସ୍‌ଙ୍କ ୧୧.୮ ବିଲିୟନ ଡଲାର କ୍ଷତି ହୋଇଥିବା ବେଳେ ତାଙ୍କର ମୋଟ ସମ୍ପତ୍ତି ଏବେ ୧୬୪.୮ ବିଲିୟନ ଡଲାର ରହିଛି ।

Leave a Reply