ଏହି ସେଲିବ୍ରିଟି, ଯିଏ ବିଜ୍ଞାପନ ପାଇଁ ସାଉଁଟିଛନ୍ତି ନିନ୍ଦା

1 min read

ମୁମ୍ବାଇ: ବଲିଉଡ ସେଲିବ୍ରେଟି ଓ ବିଜ୍ଞାପନ ଅଙ୍ଗାଅଙ୍ଗି ଭାବେ ଜଡିତ । ଶାହରୁଖଙ୍କଠାରୁ ସୈଫ, ଐଶ୍ବର୍ଯ୍ୟାଙ୍କଠାରୁ ୟାମୀ ଗୌତମ ଏମିତି କେହି ନାହାନ୍ତି ଯିଏ ବିଜ୍ଞାପନ ଜଗତ ସହ ଜଡିତ ନଥିବେ । ସେଲିବ୍ରିଟିଙ୍କ ଜରିଆରେ କମ୍ପାନୀ ନିଜ ବ୍ରାଣ୍ଡର ପ୍ରଚାର କରୁଥିବା ବେଳେ ସେମାନଙ୍କ ଫ୍ୟାନ ଫଲୋର୍ସ ଏହାକୁ ଅନ୍ଧ ଭାବେ ବ୍ୟବହାର କରିଥାନ୍ତି । ହେଲେ ଏମିତି ବି କିଛି ବିଜ୍ଞାପନ ରହିଛି ଯାହା ପାଇଁ ସେଲିବ୍ରିଟିଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି ଓ କଟୁ ସମାଲୋଚନା ପରେ ଏସବୁ ବିଜ୍ଞାପନ ହଟା ଯାଇଛି ।

ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ଗୁଟଖା ବିଜ୍ଞାପନକୁ ନେଇ ବିବାଦକୁ ଆସିବା ପରେ କ୍ଷମା ମାଗିଥିଲେ ।  ଏହାପରେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ତେବେ ବିଜ୍ଞାପନକୁ ନେଇ ସେଲିବ୍ରିଟି ଟ୍ରୋଲ ହେବା କିଛି ନୂଆ କଥା ନୁହେଁ । ଆଗରୁ ମଧ୍ୟ ବହୁ ଅଭିନେତା ଅଭିନେତ୍ରୀ ଏମିତି ବିରୋଧର ସମ୍ମୁଖୀନ ହୋଇଛନ୍ତି । ଆସନ୍ତୁ ଜାଣିବା ଏମିତି କିଛି ସେଲିବ୍ରିଟିଙ୍କ ସମ୍ପର୍କରେ, ଯେଉଁମାନେ ବିଜ୍ଞାପନ ପାଇଁ ବିରୋଧକୁ ସାମ୍ନା କରିଛନ୍ତି ।

ସୈଫ ଅଲ୍ଲୀ ଖାନ୍

ପାନ ମସଲାର ପ୍ରଚାର କରି ବିବାଦକୁ ଆସିଥିଲେ ବି ଟାଉନର ନବାବ୍ ସୈଫ ଅଲ୍ଲୀ ଖାନ୍ । ୨୦୧୫ରେ ଦିଲ୍ଲୀ ସରକାର ସୈଫଙ୍କୁ ଚିଠି ଲେଖି ଏହାର ପ୍ରଚାର ବନ୍ଦ କରିବାକୁ କହିଥିଲେ । ତେବେ ସୈଫ ସରକାରଙ୍କ କଥା ଗ୍ରହଣ କରିଥିଲେ କି ନାହିଁ ତାହା ଆଜି ବି ଅସ୍ପଷ୍ଟ ରହିଛି ।

ୟାମୀ ଗୌତମ

ଫେୟାରନେସ କ୍ରିମର ପ୍ରଚାର କରି ଫସିଥିଲେ ବଲିଉଡ ବ୍ୟୁଟି ୟାମୀ ଗୌତମ । ଗୋରା ହେବାକୁ ୟାମୀ ଲୋକଙ୍କୁ ଉସକାଉଥିବା ଅଭିଯୋଗ ହୋଇଥିଲା । ପରେ କମ୍ପାନୀ ଉକ୍ତ ପ୍ରଡକ୍ଟର ନାଁ ବଦଳାଇ ଦେଇଥିଲା । ଏବେ ବି ୟାମୀ ଉକ୍ତ ପ୍ରଡକ୍ଟର ବିଜ୍ଞାପନ କରୁଛନ୍ତି ।

ଶାହାରୁଖ ଖାନ୍

ମାୟାନଗରୀର ବାଦଶାହ ଶାହରୁଖ ଖାନଙ୍କୁ ବିଜ୍ଞାପନ ଜଗତର ବାଦଶାହ ମଧ୍ୟ କୁହାଯାଏ । କିଙ୍ଗ ଖାନ୍ ପୁରୁଷଙ୍କ ଫେୟାରନେସ୍ କ୍ରିମ ପ୍ରଚାର ବିବାଦରେ ଫସିଥିଲେ । ଏହାର ସଫେଇ ଦେଇ କହିଥିଲେ, ‘ମୋର କିଛି ସାଙ୍ଗ ମଧ୍ୟ ଲିଚିଙ୍ଗ କରି ଦେଲେ । ବିଜ୍ଞାପନରେ ଫେୟରନେସ୍ କ୍ରିମ ନୁହେଁ ପୁରୁଷଙ୍କ ପାଇଁ ସ୍କିନ୍ କେୟାର କ୍ରିମ କଥା କହୁଛୁ ।’

ଐଶ୍ବର୍ଯ୍ୟା ରାୟ ବଚ୍ଚନ

ବି-ଟାଉନର ନୀଳ ନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏକ ଜୁଏଲରୀ ବ୍ରାଣ୍ଡର ବିଜ୍ଞାପନ ପାଇଁ ବହୁତ ସମାଲୋଚନାର ଶିକାର ହୋଇଥିଲେ । ଏଥିରେ ଗହଣା ପିନ୍ଧି ଐଶ୍ବର୍ଯ୍ୟା ମହାରାଣୀ ପରି ବସିଥିବା ବେଳେ ପଛରେ ଜଣେ କାଳିଆ ରଙ୍ଗର ଯୁବକ ଛତା ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ବିରୋଧ ପରେ କମ୍ପାନୀ ବିଜ୍ଞାପନକୁ ହଟାଇ ଦେଇଥିଲା ।

ସାନା ଖାନ୍

ପୁରୁଷଙ୍କ ଅଣ୍ଡରଓ୍ବେର ବିଜ୍ଞାପନ କରି ବିବାଦରେ ଫସିଥିଲେ ସାନା ଖାନ୍ । ସାନାଙ୍କ ଏହି ବିଜ୍ଞାପନକୁ ଜୋରଦାର ବିରୋଧ ପରେ କମ୍ପାନୀ ଏହାକୁ ହଟାଇ ଦେଇଥିଲା । ଏଥିରେ ଅଶ୍ଲୀଳତା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା ।

ମଧୁ ସପ୍ରେ-ମିଲିନ୍ଦ ସୋମନ

୧୯୯୫ରେ ମଡେଲ ମଧୁ ସପ୍ରେ ଏବଂ ମିଲିନ୍ଦ ସୋମନଙ୍କ ବିଜ୍ଞାପନକୁ ନେଇ ବିବାଦ ଉଠିଥିଲା । ନ୍ୟୁଡ୍ ପୋଜରେ ଉଭୟ ଏକ ଜୋତାର ବିଜ୍ଞାପନ କରିଥିଲେ । ବିରୋଧ ପରେ ବାଧ୍ୟ ହୋଇ କମ୍ପାନୀ ଏହାକୁ ହଟାଇଥିଲା ।

ରଣବୀର ସିଂ

ଅପେରଲ ବ୍ରାଣ୍ଡ ବିଜ୍ଞାପନ ପାଇଁ ବିବାଦରେ ଫସିଥିଲେ ଭର୍ସାଟାଇଲ ଆକ୍ଟର ରଣବୀର ସିଂ । ଏଥିରେ ମହିଳାଙ୍କୁ ବସ୍ତୁ ଭଳି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ବିଜ୍ଞାପନରେ ଜଣେ ମହିଳାଙ୍କୁ ଫିଙ୍ଗା ଯାଇଥିଲା, ଯାହାଙ୍କୁ ରଣବୀର କ୍ୟାଚ୍ କରିବା ପରେ କାନ୍ଧରେ ଉଠାଇଥିଲେ ।

ପିୟର୍ସ ବ୍ରୋସନନ୍

କେବଳ ବଲିଡଉ ନୁହେଁ ହଲିଉଡ ସେଲିବ୍ରିଟି ମଧ୍ୟ ବିଜ୍ଞାପନ ପାଇଁ ବିବାଦରେ ଫସିଛନ୍ତି । ପିୟର୍ସ ବ୍ରୋସନନଙ୍କୁ ପାନ ମସଲା ବିଜ୍ଞାପନରେ ଦେଖି ତାଙ୍କ ପ୍ରଶଂସକଙ୍କ ରାଗ ପଞ୍ଚମ ହୋଇଯାଇଥିଲା । ଜବାବରେ ପିୟର୍ସ, ତାଙ୍କ ସହ ବିଶ୍ବାସ ଘାତକତା ହୋଇଥିବା କହିଥିଲେ । ମାଉଥ ଫ୍ରେସନର କହି କମ୍ପାନୀ ପାନ ମସଲା ପ୍ରଚାର କରିଥିବା ସେ ଅଭିଯୋଗ କରିଥିଲେ ।