ସତ ହେଲା ସ୍ୱପ୍ନ: ଜଗନ୍ନାଥ ଭଜନ ରେକର୍ଡ କଲେ ମୁସଲମାନ ଭକ୍ତ

କଟକ: ସତ ହେଲା ଭାବର ସରସ । ପୂରଣ ହେଲା ଦୀର୍ଘ ବର୍ଷର ଇଚ୍ଛା। ଜଗନ୍ନାଥ ଭଜନ ରେକର୍ଡ କଲେ ମୁସଲମାନ ଭକ୍ତ ଅବଦୁଲ ସମଦ ନିଜାମୀ । ଦ୍ୱିତୀୟ ସାଲବେଗ ଅବଦୁଲଙ୍କ ସ୍ୱପ୍ନ ସତ କରିଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ‘ମୁଁ ଜାଣଛି ତମେ ଜାଣିଛ ହେ ସବୁ, ତଥାପି କହୁଛି ଶୁଣ ମହାପ୍ରଭୁ ।’ ଗୁହାରୀ ଶୁଣିଲେ ଭକତର ବନ୍ଧୁ । ସ୍ୱପ୍ନ ସତ ହେଲା ଆଉ ସଂଗୀତ ଦୁନିଆରେ ପାଦ ବି ପଡିଲା ।

କୃପାସିନ୍ଧୁଙ୍କର ଅପାର କୃପାରେ ଜଗନ୍ନାଥ ଭଜନ ଗାଇଛନ୍ତି କଟକ ପ୍ରହରାଜପୁର ମୁସଲମାନ ଭକ୍ତ ଅବଦୁଲ ସମଦ ନିଜାମୀ । ଅବଦୁଲ ସମଦଙ୍କ ସ୍ୱପ୍ନକୁ ସାକାର କରିବାରେ ସାରଥି ସାଜିଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଭଜନଟିକୁ ନନ୍ଦିଘୋଷ ଟିଭିର ସଂପାଦକ ଶିଶିର ଭଟ୍ଟମିଶ୍ର ରଚନା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମଆନନ୍ଦ  ।

ଅବଦୁଲ୍ ପିଲା ଦିନରୁ ଅନ୍ଧ ହୋଇଥିବା ବେଳେ ଜଗନ୍ନାଥ ଭକ୍ତି ଓ ସଂଗୀତ ପ୍ରତି ରହିଛି ଅହେତୁକ ଦୁର୍ବଳତା । କିଛିଦିନ ପୂର୍ବରୁ ଅବଦୁଲଙ୍କ ଏକ ଗୀତ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ଏହି ସାଲବେଗ ଭକ୍ତ । ପ୍ରତିଭାକୁ ଦେଖି ସ୍ୱରକୁ ଆଗକୁ ନେବାକୁ ପ୍ରୟାସ କରିଛନ୍ତି ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଉ ଶେଷରେ ପୂରଣ ହୋଇଛି ଅବଦୁଲଙ୍କ ସ୍ୱପ୍ନ ।

barsha

ସୂଚନା ଯୋଗ୍ୟ ଯେ, ପୂର୍ବରୁ କୋରାପୁଟର ନମିତାଙ୍କୁ ଆଗକୁ ଆଣି ଗୀତ ରେକର୍ଡ କରିଥିଲେ ବର୍ଷା। ଏବେ ପୁଣି ଅବଦୁଲଙ୍କୁ ଆଗକୁ ଆଣି ନିଆରା ପ୍ରୟାସ ଜାରି ରଖିଛନ୍ତି ବର୍ଷା ।

Leave a Reply