spot_img

Latest Posts

କରୋନା ଯୋଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କଲେ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପ୍ରବାହରେ ଏବେ ସାରା ଭାରତ କ୍ଷତିଗ୍ରସ୍ତ ହୋଇଛି। ବର୍ଷ ୨୦୨୦ରେ କରୋନାର କରାଳ ରୂପକୁ କେହି ଭୁଲିପାରି ନାହାନ୍ତି। ଧିରେ ଧିରେ ସୁଧୁରୁଥିବା ପରିସ୍ଥିତି ଏବେ ଦ୍ୱିତୀୟ ପ୍ରବାହ ପାଇଁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସମସ୍ତେ ଅଫିସ୍‌କୁ ଯାଉଥିଲେ, ବ୍ୟବସାୟୀ ଖୋଲା ବଜାରରେ ବସୁଥିଲେ, ଛାତ୍ରଛାତ୍ରୀ ମଧ୍ୟ ସ୍କୁଲ, କଲେଜ ଯିବାକୁ ଲାଗିଥିଲେ। ହେଲେ କେହି କେବେ କଳ୍ପନା ବି କରିନଥିଲେ ଯେ କରୋନାର ଦ୍ୱିତୀୟ ଭାରତକୁ ଏତେମାତ୍ରାରେ ଦୋହଲାଇଦେବ।

ଦ୍ୱିତୀୟ ପ୍ରବାହରେ ଆମମାନଙ୍କର ଖାମ୍‌ଖିଆଲ୍ ମନୋଭାବ ପାଇଁ ଏହି ରୋଗର ପ୍ରଭାବକୁ ଦ୍ୱିଗୁଣିତ କରିଛି ବୋଲି ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି। ସେହ ଆହୁରିମଧ୍ୟ କହିଛନ୍ତି ଏ କଥା ସତ ଯେ ଲୋକଙ୍କ ପାଇଁ ଭାକ୍ସିନ୍ ଆସିଗଲାଣି। ହୁଏ ତ ଆଗକୁ ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁସଂଖ୍ୟାରେ ମଧ୍ୟ ହ୍ରାସ ପାଇବ। କିନ୍ତୁ କରୋନାର ଦ୍ୱିତୀୟ ପ୍ରବାହ ସମସ୍ତଙ୍କୁ ଭୟଭୀତ କରିଛି ଏଥିରେ ସନ୍ଦେହ ନାହିଁ।

କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେଧିରେ ବଢିବାରେ ଲାଗିଛି। ପୁଣି ଶୁଣିବାକୁ ମିଳିଛି କରୋନାର ତୃତୀୟ ଲହରି ମଧ୍ୟ ଆସିପାରେ। ହେଲେ ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ଆମକୁ ଆହୁରି ସତର୍କ ରହିବାକୁ ପଡିବ ବୋଲି ଅନୁ ଚୌଧୁରୀ କହିଛନ୍ତି। ଯେଉଁମାନେ ଆମକୁ ସୁରକ୍ଷିତ ରଖିବା ଲାଗି ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି, ଆମ ପାଇଁ ନିଜ ପରିବାରକୁ ଛାଡ଼ି କରୋନା ଯୋଦ୍ଧା ସାଜିଛନ୍ତି। ସେମାନଙ୍କ ପରିବାର ଲୋକଙ୍କୁ ମୋର ଅନୁରୋଧ ଦୟାକରି ସେମାନଙ୍କୁ ସହଯୋଗ କରନ୍ତୁ ଏବଂ ମାନସିକ ରୂପେ ସମର୍ଥନ ଦିଅନ୍ତୁ ବୋଲି ଅନୁ ଚୌଧୁରୀ କହିଛନ୍ତି।

ଖବର କାଗଜ ହେଉ ଅବା ଟିଭି ଚ୍ୟାନେଲ, ପ୍ରତିଦିନ ପୋଲିସ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ସହ ସାଧାରଣ ଜନତାଙ୍କର ତିକ୍ତତା ନେଇ ଖବର ଆସୁଛି । ଏ କଥା ମନେ ରଖିବା ଉଚିତ ଯେ, ପୋଲିସମାନେ ଆମକୁ ସଜାଗ କରୁଛନ୍ତି । ଖାସ ଆମକୁ କରୋନା ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ହେଉଛି । କରୋନା ସଂକ୍ରମଣ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ ।

ଏହି ଚେନ୍‌କୁ ଭାଙ୍ଗିବା ପାଇଁ ପ୍ରଶାସନ ବାଧ୍ୟ ହୋଇ ସଟଡାଉନ୍ ଓ ଲକଡାଉନ୍ କରୁଛନ୍ତି । ସାଧାରଣ ଜନତାଙ୍କୁ ମୋର ବିନମ୍ର ଅନୁରୋଧ ପରୋକ୍ଷ ହେଉ କି ପ୍ରତ୍ୟକ୍ଷ । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୌରପାଳିକା କର୍ମଚାରୀ ଓ ପୋଲିସଙ୍କୁ କରୋନା ବିରୋଧୀ ଲଢେଇରେ ସହଯୋଗ କରନ୍ତୁ । ତାଙ୍କ ସହ ଯୁକ୍ତିତର୍କ କି ମାରପିଟ୍ କରିବାଠାରୁ ନିବୃତ୍ତ ରୁହନ୍ତୁ । ନିଜେ ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ନିଜ ପରିବାରକୁ କରୋନାଠୁ ଦୂରେଇ ରଖନ୍ତୁ । ପାରୁପର୍ଯ୍ୟନ୍ତ ଅସହାୟ ଓ ଅଭାବୀ ଲୋକଙ୍କୁ ସହାୟତା କରନ୍ତୁ । ପ୍ରଥମ ଧାଡିର କୋଭିଡ ଯୋଦ୍ଧାଙ୍କୁ ସହଯୋଗ କରନ୍ତୁ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନାକୁ ଆମେ ପରାସ୍ତ କରିବା । ଏବେଠୁ ସଜାଗ ରହିଲେ କରୋନାର ତୃତୀୟ ଲହରି ସମ୍ଭାବନାକୁ ମଧ୍ୟ ଅତି ସହଜରେ ଏଡାଇ ହେବ ।

Latest Posts

Don't Miss