ଶେଫାଲି ଜରିୱାଲାଙ୍କ ମୃତ୍ୟୁ କେମିତି ହେଲା ? ଜଣାପଡ଼ିବ ପ୍ରକୃତ କାରଣ…

ନନ୍ଦିଘୋଷ ବ୍ୟୁରୋ: କାହିଁକି ମଡେଲ ବା ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ମୃତ୍ୟୁ ହେଲା ? ଆସିଲା ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ପୋଷ୍ଟମର୍ଟମ ରିପୋର୍ଟ; ଜଣାପଡ଼ିବ ପ୍ରକୃତ କାରଣ… ଏହି ରିପୋର୍ଟରେ ସ୍ପଷ୍ଟ ହେବ, ପ୍ରକୃତରେ କେଉଁ କାରଣରୁ ଶେଫାଳି ଜରିୱାଲାଙ୍କ ବିୟୋଗ ହୋଇଥିଲା। ମୁମ୍ଵାଇ କୁପର ହସପିଟାଲରେ ବ୍ୟବଚ୍ଛେଦ ହୋଇଥିଲା। ଏହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି । ପୋଲିସ ତାଙ୍କ ଘରର ସିସିଟିଭି ଫୁଟେଜ ମଧ୍ୟ ଜବତ କରିଛି । ୧୪ ଜଣଙ୍କ ବୟାନ ରେକର୍ଡ ବି କରାଯାଇଛି ।
ଆମ୍ବୋଲି ଥାନାର ଦୁଇଟି ଟିମ୍ ଟିକିନିଖି ତଦନ୍ତ କରୁଛନ୍ତି । ଗତ ଗୁରୁବାର ରାତିରେ ମୁମ୍ଵାଇରେ ଶେଫାଳି ଜରିୱାଲାଙ୍କ ବିୟୋଗ ହୋଇଥିଲା । ପ୍ରଥମେ ଫୁଡ୍ ପଏଜନିଂର ସନ୍ଦେହ କରାଯାଇଥିଲା । ଏପରି ବି କୁହାଯାଉଛି ଯେ, ସୌନ୍ଦର୍ଯ୍ୟ ବଜାୟ ରଖିବାକୁ ସେ ଚିକିତ୍ସିତ ହେଉଥିଲେ । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ବି ସନ୍ଦେହ କରାଯାଉଛି । ପୋଲିସ ସବୁ ଦିଗରୁ ତଦନ୍ତ କରୁଛି । ଗତ ୮ ବର୍ଷ ମଧ୍ୟରେ ଶେଫାଲି କେଉଁ ଡାକ୍ତରଙ୍କଠାରୁ ଚିକିତ୍ସିତ ହେଉଥିଲେ, କେଉଁ ଔଷଧ ଖାଉଥିଲେ, ଡାକ୍ତରଙ୍କ ପରାମର୍ଶ ବିନା ନିଜେ କିଛି ଔଷଧ ନେଇଥିଲେ କି ନାହିଁ, ଏହି ସମସ୍ତ ଦିଗକୁ ତଦନ୍ତ କରାଯାଉଛି ।”ଏପର୍ଯ୍ୟନ୍ତ ପୋଲିସ ୭ଟି ସିସିଟିଭି ଫୁଟେଜ୍ ନମୁନା ସଂଗ୍ରହ କରିଛି ଏବଂ ପରିବାର ସଦସ୍ୟ, ଘରୋଇ କର୍ମଚାରୀ ଏବଂ ଶେଫାଲିଙ୍କ ସହ ନିୟମିତ ଯୋଗାଯୋଗ କରୁଥିବା ଲୋକଙ୍କ ସମେତ ୧୪ ଜଣଙ୍କ ବୟାନ ରେକର୍ଡ କରିଛି ।
ପ୍ରାରମ୍ଭିକ ଡାକ୍ତରୀ ପରୀକ୍ଷାରୁ ମିଳିଥିବା ତଥ୍ୟ ଅନୁଯାୟୀ, “ଶେଫାଲିଙ୍କ ମୃତ୍ୟୁ ନିମ୍ନ ରକ୍ତଚାପ, ହୃଦଘାତ ଏବଂ ଗ୍ୟାଷ୍ଟ୍ରିକ୍ ଅବସ୍ଥା ଯୋଗୁଁ ହୋଇଥିବା କୁହାଯାଉଛି ।” ଶେଫାଲି ୨୦୦୨ ମସିହାରେ “କାଣ୍ଟା ଲଗା” ମ୍ୟୁଜିକ୍ ଭିଡିଓ ସହିତ ପ୍ରସିଦ୍ଧି ହାସଲ କରିଥିଲେ, ଯାହା ପପ୍ ସଂସ୍କୃତିର ଏକ ଇତିହାସ ପାଲଟିଥିଲା। ପରେ ସେ ୨୦୦୪ ମସିହାରେ ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ସହ “ମୁଝସେ ଶାଦୀ କରୋଗୀ” ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କୁ ନାଚ୍ ବଲିୟେ (ସିଜନ୍ ୫ ଏବଂ ୭) ଏବଂ ବିଗ୍ ବସ୍ ୧୩ ଭଳି ରିଆଲିଟି ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା ।